
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଗେଟସରୋବରପଡାସ୍ଥିତ ବି.ଆର.ଆମ୍ବେଦକର ପାଠାଗାର ତରଫରୁ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ତଥା ପଡାର ସଭାପତି ଓମ୍ ପ୍ରକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ୧୦ ନମ୍ବର ୱାର୍ଡର କାଉନସିଲର କିଶୋର କୁମ୍ଭାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପଡାର ସଂପାଦକ ଅଶୋକ ହରପାଲ, ଜିଲ୍ଲା ଦଳିତ ସମାଜର ଆବାହକ ବିଜୟ ବାରିକ ଓ କୁନା ବାଗ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ଅଭିଭାବକ ସଂଘର ସଭାପତି ସୀତାରାମ କୁମ୍ଭାର । ଶିକ୍ଷିତ ହୁଅ, ସଂଘର୍ଷ କର ଓ ସଂଗଠିତ ହୁଅ ବୋଲି ବାବା ସାହେବ ନାରା ଦେଇଥିଲେ । ଶିକ୍ଷା ଦ୍ୱାରା ହିଁ ସମସ୍ତ ସମସ୍ୟାରୁ ଆମେ ମୁକୁଳି ପାରିବା ବୋଲି ବାବା ସାହେବ କହିଥିବା କଥାକୁ ବକ୍ତାମାନେ ଦୋହରାଇ ଥିଲେ । ବାବା ସାହେବ ସମ୍ବିଧାନରେ କେବଳ ଦଳିତମାନଙ୍କ ପାଇଁ ବ୍ୟବସ୍ଥା କରିନାହାନ୍ତି ବରଂ ଭାରତ ବର୍ଷର ପ୍ରତ୍ୟେକ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରିଛନ୍ତି । ପଂଚବାର୍ଷିକ ଯୋଜନା ହେଉ, ଦେଶରେ ନିର୍ମିତ ହୋଇଥିବା ବଡ ବଡ ନଦୀବନ୍ଧ ହେଉ ଓ ରିଜର୍ଭ ବ୍ୟାଙ୍କର ପରିକଳ୍ପନା ମଧ୍ୟ ବାବା ସାହେବ କରିଥିଲେ ବୋଲି ଅତିଥିମାନେ କହିଥିଲେ । ବିଶେଷ କରି ଶ୍ରମିକ ଓ ନାରୀ ସଶକ୍ତିକରଣ ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ନାରୀନେତ୍ରୀ କୌଶଲ୍ୟା କୁମ୍ଭାର ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଅଧ୍ୟାପିକା ଥିବା ଲୋପାମୁଦ୍ରା ବାରିକ ତାଙ୍କ ବକ୍ତବ୍ୟରେ ଶିକ୍ଷା କ୍ଷେତ୍ରରେ ବାବା ସାହେବଙ୍କ ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ । ଚଳିତ ଶିକ୍ଷା ବର୍ଷରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ରିଦ୍ଧିଶା କୁମ୍ଭାର, ପ୍ରତୀକ ପାଣିଗ୍ରାହୀ, ସମାଜସେବୀ ପ୍ରକାଶ ଚନ୍ଦ୍ର ରାଏ, ବିଜୟ ହରପାଲ, ଯୁବ ସଂଗଠକ ମୁନା ହରପାଲ, ସଫଳ ଉଦ୍ୟୋଗୀ ସଚିନ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୁନି ଶିଳ୍ପୀ ଏସ.ବି.ଗଙ୍ଗୋତ୍ରୀ ହରିପାଲ ନୃତ୍ୟ ପରିବେଷଣ କରିଥିବା ବେଳେ ବାବା ସାହେବଙ୍କ ଅମର ଗାଥାକୁ ଗୀତ ମାଧ୍ୟମରେ ପରିବେଷଣ କରିଥିଲେ ଟିକୁ ଓ ବିଶି । କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦେବାଶିଷ ନାଏକ, ରଂଜନ ଭୋଇ, ନିକୁ କୁମ୍ଭାର, ଗଦାଧର ହରପାଲ, ସୁବଲ ବାଗ, ସୁବଳୟା କୁମ୍ଭାର, ଜୟଶ୍ରୀ ସୁନା, ରିଙ୍କି ନନ୍ଦ, ରୂପେଶ କୁମ୍ଭାର, ଖତୁ ନନ୍ଦ, ଯୋଗେନ୍ଦ୍ର ଦୀପ, ଅଜୟ କୁମାର ନାଗ, ଲାଲୁ କୁମ୍ଭାର, ମଙ୍ଗଲୁ ତାଣ୍ଡି, ସୂର୍ଯ୍ୟମଣି ସୁନା, ଅଜିତ କୁଅଁର, ସୁଶିଲ ହରପାଲ ଓ ବିଶ୍ୱନାଥ ସୁନା ପ୍ରମୁଖ । ଶେଷରେ ସାଗର କୁମ୍ଭାର ଧନ୍ୟବାଦ ଦେଇଥିଲେ ।