
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ, ଦାବୀ ପୁରଣ କରିବାର ପ୍ରତିଶ୍ରୁତି ସତ୍ତ୍ୱେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନୀରବତା ଫଳରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ଠାରେ ନାମ ଲେଖାଇଥିବା ୬୫ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ଦିଗରେ । ଗତ ଜାନୁଆରୀ ମାସରେ ପଦ୍ମପୁର ଠାରୁ ହୋଇଥିବା ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ସାତଦିନ ମଧ୍ୟରେ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଦୀର୍ଘ ତିନିମାସ ବିତି ସାରିଥିଲେ ମଧ୍ୟ କୌଣସି ଫଳ ନ ମିଳିବାରୁ ଆଜି ସ୍କୁଲ ପରିଚାଳନା କମିଟି, ପଞ୍ଚସଖା ଶିକ୍ଷାସେତୁ ଚେୟାରମେନ ଓ ସ୍କୁଲ ଉନ୍ନୟନ କମିଟିର ସଦସ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ଓ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷକ ନିଯୁକ୍ତି ନ ହେଲେ ସ୍କୁଲକୁ ବନ୍ଦ କରାଯାଇ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ୨୦୨୫ରେ ୬୧୦ ସ୍କୁଲମାନଙ୍କରେ ହୋଇଥିବା ନିଯୁକ୍ତିରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କୁ ପ୍ରଶ୍ନ କରିବାରୁ ସେ ଉଚିତ ଭାବରେ କାଉନସେଲିଂ କରି ନିଯୁକ୍ତି ଦିଆଯାଇଥିବା କହିଥିଲେ । କାଉନସେଲିଂ ହୋଇଥିବା ସତ କିନ୍ତୁ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ପ୍ରଦର୍ଶିତ କରାଯାଇ ଥିବା ତାଲିକାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନାକୁ ଦର୍ଶା ଯାଇନଥିଲା ଫଳ ସ୍ୱରୂପ ପୁରେନା ପାଖାପାଖି ଅଞ୍ଚଳର ଯୋଗ୍ୟ ପ୍ରାର୍ଥୀମାନେ ବାଧ୍ୟ ହୋଇ ଦୂରବର୍ତ୍ତୀ ସ୍ଥାନକୁ ବାଛି ସେଠାରେ ଯୋଗଦାନ କରିଥିଲେ । ଏହା ପଛରେ ଏକ ଅସାଧୁ ଗୋଷ୍ଠୀ କିଛି କିରାଣୀ ମାନଙ୍କୁ ଧରି ନିଯୁକ୍ତି ପ୍ରକ୍ରିୟାରେ ସକ୍ରିୟ ରହିଥିବା ଆଲୋଚନା ହେଉଛି । ଏହା ଉପରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପାଇଁ ବାଧ୍ୟ ହେବୁ ବୋଲି ପରିଚାଳନା କମିଟିର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।