ବଲାଙ୍ଗୀର କେନ୍ଦୁପତ୍ର ସର୍କଲ ଅଫିସ ଘେରାଉ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ବିଭିନ୍ନ ଦାବୀକୁ ନେଇ ବଲାଙ୍ଗୀର ସ୍ଥିତ କେନ୍ଦୁପତ୍ର ବିଭାଗ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ସସିଏଫ୍‌) ଅଫିସ ଘେରାଉ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ କମିଟିର ଏକ ପ୍ରସ୍ତୁତି ବୈଠକ ସଂଘର ରାଜ୍ୟ ସଂପାଦକ କୋକିଳ ସାହୁଙ୍କ ଅଧ୍ୟକ୍ଷତାରେ ପାଇକମାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ରେଂଜର ଖାଲିଥିବା ଚେକର ଓ ଅନ୍ୟାନ୍ୟ ପଦବୀ ପୂରଣ, ମୃତ୍ୟୁ ବରଣ କରି ସାରିଥିବା ସିଜିନାଲ କର୍ମଚାରୀର ପରିବାରଙ୍କୁ ଗ୍ରାଚୁଏଟି ପ୍ରଦାନ, ଗତ ସିଜିନାଲରେ କାର୍ଯ୍ୟରତ ମୁନସୀ ମାନଙ୍କ ୯୦ ଦିନ ଓ ଚପରାସୀ ମାନଙ୍କ ୬୦ ଦିନର ଦରମା ପ୍ରଦାନ, କେନ୍ଦୁପତ୍ର ୱେଳଫେୟାର ଟ୍ରଷ୍ଟରୁ ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ଓ ତୋଳାଳୀ ମାନଙ୍କ ବିବାହ ଓ ଛତ୍ର ବୃତ୍ତି ପ୍ରଦାନ, ଗୁଛାକଟାର ସମୟ ବର୍ଦ୍ଧିତ କରିବା ଆଦି ଦାବୀ ଗୁଡିକ ପୂରଣ ପାଇଁ ସିସିଏଫ୍ ଅଫିସ ଘେରାଉ ନିଷ୍ପତ୍ତି ନିଆ ଯାଇଛି । ଆସନ୍ତା ୧୮ ତାରିଖ ଦିନ ସିସିଏଫ୍ ଅଫିସ ଘେରାଉ କାର୍ୟ୍ୟକ୍ରମରେ ପଦ୍ମପୁର, ପାଟଣାଗଡ, ଖରିଆର, ବଲାଙ୍ଗୀର, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି ଆଦି ୭ଟି କେନ୍ଦୁପତ୍ର ଡିଭିଜନରେ ବହୁ ସଂଖ୍ୟାରେ କେନ୍ଦୁପତ୍ର ସିଜିନାଲ କର୍ମଚାରୀ ସାମିଲ ହେବାର ଯୋଜନା ରହିଛି । ଏହି ବୈଠକରେ କେନ୍ଦୁପତ୍ର ସଂଘର ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ହେଡଚେକର ଋଷବ ପ୍ରଧାନ, ସୁରେଶ ପଣ୍ତା, ଶେଷଦେବ ଯୋଶୀ, ମହେନ୍ଦ୍ର ପ୍ରଧାନ, ସାଇଧର ପାଣ୍ତେ, ଶ୍ୟାମ ଚନ୍ଦନ, ଘନ ଶ୍ୟାମ ଭୋଇ, ମଧୁ ବେହେରା, ନାରାୟଣ ସାହୁ, ପ୍ରଫୁଲ୍ଲ ବେହେରା, ଜିତେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.