ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାର ଉତ୍ସବକୁ ରାଉରକେଲାର ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ଉଦ୍ଘାଟନ କରିଥିଲେ । ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ନାରାୟଣ ପତିଙ୍କ ସଭାପତିତ୍ୱରେ ଏହି ସଭାକୁ ଝିଲିମା ମହାନ୍ତି ସଂଯୋଜନା କରିଥିଲେ ଓ ଅନୁଷ୍ଠାନର ସାଂଗଠନିକ ସଂପାଦକ ସୁରେନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭୁବନେଶ୍ଵରର ବରିଷ୍ଠ ନାଟ୍ୟକାର ପଞ୍ଚାନନ ଦାସଙ୍କୁ ସଂପର୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନାଟକ ମହୋତ୍ସବରେ ସୁନ୍ଦର ଓ ସୁସ୍ପଷ୍ଟ ମାନପତ୍ର ପାଠ କରି ଦର୍ଶକଙ୍କୁ ଅଭିଭୂତ କରିଥିବାରୁ ବିଜୟଲକ୍ଷ୍ମୀ ନାଏକ, ଶ୍ରୀମତୀ ଆଶାଲତା ଦାସ ଓ ମଂଚ ପରିଚାଳନାରେ ଅକୁଣ୍ଠ ସହାୟତା ପ୍ରଦାନ କରିଥିବା କଲ୍ୟାଣୀ ଦାସ, ରୁନୁ ବେକ୍, ସନ୍ଧ୍ୟା ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ନାଟକ ବିଷୟବସ୍ତୁ – କାମୁକ ପୁରୁଷ କାମନାର ବଶୀଭୂତ ହୋଇ ଭଲମନ୍ଦ ବିଚାର କରି ନ ପାରି ଛୋଟ ବାଳିକା ଠାରୁ ବୟସ୍କା ନାରୀ ଯାଏଁ ସମସ୍ତଙ୍କୁ ଅସଦାଚରଣ କରି ଜେଲ ଯାଏ । ଜେଲରୁ ଫେରିବା ପରେ ସମାଜ ତାକୁ କେଉଁ ଦୃଷ୍ଟିରେ ଦେଖେ ତା ଦ୍ୱାରା ତାର ଦୈନଦିନ ଜୀବନ କିପରି ଦୁର୍ବିସହ ହୋଇପଡେ ଏପରି ଏକ ବାସ୍ତବ କାହାଣୀକୁ ନେଇ ପଞ୍ଚାନନ ଦାସଙ୍କ ଦ୍ୱାରା ରଚିତ ନାଟକ ‘ନୂଆ ଦିଗନ୍ତ’ ପରେପରେ ପଞ୍ଚଧ୍ୱନି ଭୁବନେଶ୍ଵରର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ପ୍ରକାଶକ ମହାରଣାଙ୍କ ଉଚ୍ଚକୋଟୀର ନିର୍ଦ୍ଦେଶନା, ପ୍ରତାପ ରାଉତଙ୍କ ସୁମଧୂର ପ୍ରଚ୍ଛଦ ସଙ୍ଗୀତ, ରାକେଶ ଶତପଥୀଙ୍କ ଆଖି ଝଲସା ଆଲୋକ ସଂପାତ ସାଂଗକୁ କଳାକାରମାନଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆସନ୍ତା କାଲି ବିଶ୍ୱନାଟ୍ୟ ଦିବସରେ ସକାଳ ଆଠଟାରୁ ରଙ୍ଗାରଙ୍ଗ ନାଟ୍ୟ ପଦଯାତ୍ରା, ଦିନ ଦଶଟାରେ ଶିକ୍ଷାନୁଷ୍ଠାନରେ ନାଟକ ଉପରେ ବକ୍ତୃତା ପ୍ରତିଯୋଗିତା, ଅପରାହ୍ନ ତିନି ଘଟିକାରେ ଉପାସନା ନୃତ୍ୟୋତ୍ସବ, ସନ୍ଧ୍ୟାରେ ନାଟକ ପଞ୍ଛୀ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି ।