ପ୍ରତିଭା ଅନ୍ୱେଷଣର ମହୋତ୍ସବ ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୋଡ଼େନ କ୍ଷଣପ୍ରଭା ପାଣିଗ୍ରାହୀ, ବିଶିଷ୍ଟ ଅତିଥି ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, ମୁଖ୍ୟବକ୍ତା ବୋର୍ଡର ଡ଼ିଗ୍ରୀ କଲେଜ କାଙ୍କେରୀ କଳାହାଣ୍ଡିର ଅଧ୍ୟକ୍ଷ ଗୁପ୍ତେଶ୍ୱର ମେହେର, ସମ୍ମାନିତ ଅତିଥି ଭାବରେ ବାବେବୀର ସରପଞ୍ଚ ଯୁଗେଶ୍ୱର ପାଣ୍ଡେ, ସିଆର୍‌ସିସି ମଧୁସୂଦନ ମାଝୀ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ନାଏକ,ସମାଜସେବୀ ବସନ୍ତ ମାଝୀ ମଞ୍ଚାସୀନ ହୋଇଥିଲେ । ଦେବପୂଜନ ସହ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସେବିକା ଜ୍ୟୋସ୍ନାମୟୀ ଜଗତ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର‌ ପରିସ୍ଫୁଟ ପାଇଁ ବାର୍ଷିକ ଉତ୍ସବର ଗୁରୁତ୍ୱ ଓ‌ ଶିକ୍ଷାର ମହତ୍ତ୍ଵ ସଂପର୍କରେ ସମସ୍ତ ଅତିଥି ଓ‌ ବକ୍ତା ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବିଭିନ୍ନ ବିଭାଗର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ସହ ପୁରସ୍କୃତ କରାଯାଇଥିଲା ଓ ଛାତ୍ରୀନିବାସର ବିଭିନ୍ନ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରୁଥିବା ଦୁଇଜଣ ସିସିଏ ଝରଣା ମାଝୀ ଓ ବେଲମତୀ ମାଝୀଙ୍କୁ ସମ୍ବର୍ଦ୍ଧନାପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା କ୍ଷୁଦ୍ର ନାଟକ-କନ୍ୟାରତ୍ନ, ମା’ ଖୋଜେ ମମତା ଏବଂ ସାଂସ୍କୃତିକ ନୃତ୍ୟ, ଫେସନ ସୋ ଆଦି ବିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଡିସେମ୍ବର ମେହେର ପରିଚାଳନା କରୁଥିବା ବେଳେ ଶିକ୍ଷୟିତ୍ରୀ ମୋନାଲିସା ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.