ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ନାଟକ “ମାୟାପୁରୀ” ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ଉତ୍ସବ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ସଚିବ ମନୋଜ ମହାନ୍ତି ଯୋଗଦାନ କରି କହିଲେ ଯେ, ସଂପର୍କର ଏହି ସାଂସ୍କୃତିକ ଅଭିଯାନ ହିଁ ରାଉରକେଲା ଅସ୍ମିତାର ଅନନ୍ୟ ପ୍ରତୀକ । ଏହି ଅବସରରେ କେବଳ ରାଉରକେଲାରେ ନୁହଁ ସାରା ଭାରତରେ ନିଜର ଅଭୂତପୂର୍ବ ନିର୍ଦ୍ଦେଶନା କୌଶଳରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବିସ୍ମିଲ୍ଲା ଖାଁ ପୁରସ୍କାରରେ ପୁରସ୍କୃତ ନଳିନୀ ନିହାର ନାୟକଙ୍କୁ ଯୁବ ନାଟ୍ୟସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭାକୁ ଝିଲିମା ମହାନ୍ତି ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଳୟ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ କୋଲକାତାର ପ୍ରସିଦ୍ଧ ଅନୁଷ୍ଠାନ “ଥିଏ ଲାଇଟ”ର କଳାକାରମାନେ ବଙ୍ଗଳା ନାଟକ ‘ମାୟାପୁରୀ’ ମଂଚସ୍ଥ କରିଥିଲେ । ଏ ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ସରଳ ନିଷ୍ପାପ ଶିଶୁ ସ୍ୱାର୍ଥପର ମଣିଷର ସ୍ୱାର୍ଥର ଶୀକାର ହୋଇ କିପରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସେମାନଙ୍କୁ ସେହି ଯନ୍ତ୍ରଣାରୁ ମୁକ୍ତ କରିବାକୁ ଆଗେଇ ଆସୁଥିବା ମଣିଷ ମାନଙ୍କୁ କେତେ ସଙ୍ଘର୍ଷ କରିବାକୁ ପଡୁଛି ତାହା ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ଏହି ନାଟକ ମାଧ୍ୟମରେ । ସଂଜୟ ଉପାଧ୍ୟାୟଙ୍କ ଦ୍ୱାରା ରଚିତ ଗଳ୍ପକୁ ନାଟ୍ୟରୂପ ଓ ନିର୍ଦ୍ଦେଶନା ଦେଇ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ଯୁବ ନିର୍ଦ୍ଦେଶକ ଅତନୁ ସରକାର । ମନଛୁଆଁ ସଂଗୀତ ସହିତ ଆକର୍ଷଣୀୟ ବେଶବିନ୍ୟାସ, ମନୋରମ କୋରିଓଗ୍ରାଫ, କଳାକାର ମାନଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶେଷରେ ନାଟକ ନିର୍ଦ୍ଦେଶକଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.