ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜାତୀୟ ରାଜପଥ ୨୬ ଠାରୁ ବେଲଗାଁ ପର୍ୟ୍ୟନ୍ତ କାମ କରିବାର ୧୫ ଦିନ ନ ପୂରୁଣୁ ରାଜପଥର ପିଚୁ ଉଠିବାରେ ଲାଗିଥିଲା । ଏନେଇ ଗତ ୩ ତାରିଖ ଦିନ ‘କୋଶଳ ପ୍ରବାହ’ରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତାର ସହ ରାସ୍ତାର ଅନେକ ସ୍ଥାନରେ ମରାମତି କରାଯାଇଛି । ଅନ୍ୟପଟେ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଥିବା ମଧ୍ୟ ଦେଖିବାକୁ ଏବେ ବି ମିଳିଛି । ତେବେ ନିମ୍ନ ମାନର ରାସ୍ତା କାମକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ତଦନ୍ତ କରିବା ସହ ଅସାଧୁ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ନେବା ପାଇଁ ମଧ୍ୟ ଅଂଚଳବାସୀ ଦାବୀ କରିଛନ୍ତି । ବଲାଙ୍ଗିର ଠାରୁ କଲାହାଣ୍ଡି ଜିଲ୍ଲା ନୁନମାଠ ପର୍ୟ୍ୟନ୍ତ ୩୨ କୋଟି ଟଙ୍କାର ରାସ୍ତା ନିର୍ମାଣ ହେଉଥିବା ଜଣାପଡିଛି । ଏନେଇ ବିଭାଗୀୟ ଏନ୍ଏଚ୍ ଜେଇ ହରେନ୍ଦ୍ର ଆଚାର୍ୟ୍ୟଙ୍କୁ ପଚାରିବାରୁ ଉକ୍ତ ଠିକାଦାର ୫୦ କିଲୋମିଟର ରାସ୍ତା ନିର୍ମାଣ କରୁଛି, ଯେଉଁ ସ୍ଥାନରେ ପିଚୁ ଉଠି ଗଲା ଓ ଫାଟି ଗଲା ସେହି ସ୍ଥାନକୁ ମରାମତି କରିବ ବୋଲି କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ ହେଉଥିବା ବେଳେ ମାତ୍ର ୧୫ ଦିନ ନଯାଇ ରାସ୍ତାର ଅବସ୍ଥା ବେହାଲ ହୋଇ ସାରିଲାଣି । ତେବେ ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରିବା ସହ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
Next Post