ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣା : ତଦନ୍ତ ବଦଳେ ପ୍ରଶାସନ ଚୁପ୍‌

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ ଡାକ୍ତର ରହିଥିଲେ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ଜନୈକ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ନାନା ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳୁଛି । ତେବେ ବିଭାଗୀୟ ଅଧିକାରୀ ତଦନ୍ତ ବଦଳେ ଚୁପ୍‌ଚାପ ରହିଥିବା ବେଳେ କାହା ଚାପରେ ଏଭଳି ଅଭାବନୀୟ ଘଟଣାକୁ ତଦନ୍ତ କରିବା ବଦଳେ ନୀରବତା ଅବଲମ୍ବନ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଖବର ପ୍ରସାରଣ ହେବା ପରେ ଡାକ୍ତରଖାନା କର୍ମଚାରୀ ମାନଙ୍କ ମଧ୍ୟ ଚିନ୍ତା ବଢ଼ିଥିବା ଲକ୍ଷ୍ୟ କରାଯାଇଛି । ଉଚ୍ଚ କର୍ତ୍ତୃପକ୍ଷ ଜାଣିଶୁଣି ତଦନ୍ତ କରୁ ନଥିବା ଅଭିଯୋଗ ଆଣି ଆଗାମୀ ଦିନରେ ଡାକ୍ତରଖାନାରେ ତାଲା ପକାଇବା ପାଇଁ ମଧ୍ୟ ସାଧାରଣରେ ମତ ପ୍ରକାଶ ପାଇଛି । ସୂଚନା ମତେ, ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସମାନେ ପ୍ରସବ କରାଇବା ସହ ନବଜାତ ଶିଶୁ ଦ୍ୱୟ ଏବଂ ପ୍ରସୂତି ମା’ଙ୍କୁ ଗୋଟିଏ ଦିନ ଡାକ୍ତରଖାନାରେ ରଖିଥିଲେ । ଶେଷରେ ଅବସ୍ଥା ସଂକଟାପନ୍ନ ହେବାରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ତେବେ ଠିକ ସମୟରେ ଉପଯୁକ୍ତ ଚିକିତ୍ସା ମିଳି ନଥିବାରୁ ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ପ୍ରସୂତୀ ମହିଳା ଅହଲ୍ୟାଙ୍କ ସ୍ୱାମୀ ସୁବାସ ସରାପ ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁଯାୟୀ, ସଇଁନ୍ତଳା ବ୍ଳକ କୁଆରଗାଁ ପଂଚାୟତ ଟୁର୍ଚ୍ଚାଉପେର ଗାଁର ବାସିନ୍ଦା ସୁବାସ ସରାପଙ୍କ ପତ୍ନୀ ଅହଲ୍ୟାଙ୍କ ପ୍ରସବ ବେଦନା ହେବାରୁ ସଇଁନ୍ତଳା ଡାକ୍ତରଖାନାକୁ ଆଣିଥିଲେ । କିଛି ସମୟ ପରେ ଯାଆଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ ଅହଲ୍ୟା । ଜନ୍ମ ହେବା ପରେ ଗୋଟିଏ ଦିନ ପର୍ୟ୍ୟନ୍ତ ଶିଶୁ ଓ ମାଆଙ୍କୁ ଡାକ୍ତରଖାନାରେ ରଖାଯାଇଥିଲା । ତେବେ ଦୁଇ ଶିଶୁ ପୁତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ଓ ଡାକ୍ତରଖାନାରେ ବିଭାଗୀୟ ଡାକ୍ତର ନ ଥିବା ଯୋଗୁଁ ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ନେବା ପାଇଁ ଉପସ୍ଥିତ ଥିବା ନର୍ସ କହିଥିଲେ । ତା’ପରେ ପରିବାର ଲୋକେ ବଲାଙ୍ଗିର ଡାକ୍ତରଖାନାକୁ ପହଂଚାଇଥିଲେ । ସେଠାରେ ମା’ ଓ ଶିଶୁ ସୁରକ୍ଷା କାର୍ଡ ଦେଖାଇବାରୁ କାର୍ଡରେ କୌଣସି ପଞ୍ଜିକରଣ ନମ୍ବର ନ ଥିବା ସହ ଗର୍ଭବତୀ ମହିଳାଙ୍କ ପରିବାରର ପରିଚୟ ଓ ଗର୍ଭବତୀଙ୍କ ପ୍ରତ୍ୟେକ ମାସର ଓଜନ ମାପ, ଟୀକାକରଣ, କ୍ୟାଲସିୟମ ବଟିକା ସେବନ ଆଦି କୌଣସି ବିଷୟର ବିବରଣୀ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ରାଗିଯାଇ ବୁର୍ଲା ନେବା ପାଇଁ ପରାମର୍ଶ ଦେଇଥିଲେ ବୋଲି ସୁବାସ କହିଛନ୍ତି । ତା’ପରେ ଦୁଇ ନବ ଜାତ ଶିଶୁ ପୁତ୍ରଙ୍କୁ ଧରି ବୁର୍ଲା ପହଁଚିଥିଲେ ପରିବାର ଲୋକେ । ତେବେ ସେଠାରେ ମଧ୍ୟ ସୁରକ୍ଷା କାର୍ଡ ଦେଖାଇବାରୁ ନକଲି ବୋଲି କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଏସବୁ ଭିତରେ ଚିକିତ୍ସା ଅବହେଳା ଯୋଗୁଁ ଦୁଇ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିଲା । ତାପରେ ଗାଁକୁ ନିରାଶ ହୋଇ ଫେରିଲେ ପରିବାର ଲୋକେ । ଏନେଇ ସୁବାସ ସଇଁନ୍ତଲା ଡାକ୍ତରଖାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ଡାକ୍ତରଖାନା ଅଧିକାରୀ ସମରେନ୍ଦ୍ର ମହାପାତ୍ର ମନଇଚ୍ଛା ଡାକ୍ତର ଖାନାକୁ ଆସୁଥିବା ସହ ନର୍ସମାନଙ୍କ ତତ୍ତ୍ୱାବଧାନରେ ପ୍ରସୂତୀକରଣ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସଇଁନ୍ତଲା ଆଂଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ଏନେଇ ବଲାଙ୍ଗିର ସିଡିଏମଓ ଡା.ଭୀମ ସାହୁଙ୍କୁ ପଚାରିବାରୁ ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ହେଲେ ଆଜି ପର୍ୟ୍ୟନ୍ତ କୌଣସି ତଦନ୍ତ ହୋଇ ନଥିବା ଜଣାପଡ଼ିଛି ।

ପ୍ରକାଶ ଥାଉ କି, ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’ଙ୍କ ମୃତ୍ୟୁ ଘଟଣାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କାର୍ୟ୍ୟନୁଷ୍ଠାନ ଶୂନ୍‌ ହେବା ଭଳି ନଜିର୍‌ ରହିଛି ବଲାଙ୍ଗିର ଜିଲ୍ଲାରେ । ତୁଷୁରା ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହଳାଙ୍କ ମୃତ୍ୟୁ ହୋବାର ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା କେଉଁ ଅଦୂଶ୍ୟ ଚାପରେ ଦୋଷୀଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ହୋଇନାହିଁ ବୋଲି ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅନ୍ୟ ପକ୍ଷରେ ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ସୁମିତ ମେହେର ନିଜେ ଆସି ତୁଷୁରା ଚିକିତ୍ସାଳୟର ବନ୍ଦ କୋଠରୀ ଭିତରେ ଉକ୍ତ ସମୟରେ ଦାୟତ୍ୱରେ ଥିବା ନର୍ସମାନଙ୍କୁ ଦୁଇ ଘଂଟା ଧରି ଜେରା କରିଥିଲେ । ଅନ୍ୟ ପକ୍ଷକୁ ଜେରା କରିବା ପରେକହିହେବ କାହାର ଭୁଲ ବୋଲି ଶ୍ରୀ ମେହେର ଗଣମାଧ୍ୟମକୁ ସୂଚନା ଦେଇଥିଲେ । କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ମୃତକଙ୍କ ଘରକୁ ଯାଇ ତାହାର ତଦନ୍ତ କରି ନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଶ୍ରୀ ମେହେରଙ୍କୁ ପଚାରିବାରୁ କହନ୍ତି, ଟିକିଏ କାମ ଅଧିକ ଥିବାରୁ ତଦନ୍ତ କାରଯାଇ ପାରିନ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭୀମ ସାହୁ କହନ୍ତି ଯେ, କରେନା ଟିକା କାର୍ୟ୍ୟକ୍ରମ ପାଇଁ ଟିକିଏ ବ୍ୟସ୍ତ ଅଛୁ, ଜିଲାରୁ ଏକ ଟିମ ଯାଇ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ ।

ତେବେ ଚିକିତ୍ସା କ୍ଷେତ୍ରରେ ମା’ମାନଙ୍କ ପ୍ରତି ହେଉଥିବା ଏଭଳି ଅବହେଳା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ଅହେତୁକ ଅନୁକଂପା ସାଧାରଣଙ୍କୁ ଆଶ୍ଚର୍ୟ୍ୟ ଚକିତ କରି ପକାଇଥିବା ଶୁଣିବାକୁ ମିଳୁଛି । ଉପରୋକ୍ତ ଘଟଣାର ଗୁରୁତ୍ୱ ପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.