ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନ୍ୟାୟ ସଂଗତ ଦରମା ଓ ସୁବିଧା ପ୍ରଦାନ ନ କରିବା ଯୋଗୁଁ କାର୍ଯ୍ୟ ବନ୍ଦ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶାର ବିଭିନ୍ନ ବିଭାଗରେ ଆଉଟ ସୋର୍ସିଙ୍ଗ ଭିତ୍ତିରେ କାମ କରୁଥିବା କର୍ମଚାରୀ ଦୀର୍ଘ ସମୟ ଧରି ଅତ୍ୟନ୍ତ କମ୍ ଦରମାରେ ଓ ଅନିଶ୍ଚିତ ପରିସ୍ଥିତିରେ କାମ କରୁଛନ୍ତି । ସରକାରୀ କାମର ମୁଖ୍ୟ ଭାଗ ସେମାନେ କରୁଥିଲେ ମଧ୍ୟ ଯଥାର୍ଥ ସୁବିଧା ଓ ସୁରକ୍ଷା ପାଇ ପାରୁନାହାନ୍ତି । ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଯେ, ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯାଉ । ନ୍ୟୁନତମ ଦରମା ବୃଦ୍ଧି କରାଯାଉ ଓ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯାଉ । ଏହି ସମସ୍ୟା ସମାଧାନ ପାଇଁ ସେମାନେ ବହୁବାର ଦାବି କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ । ସେଥିପାଇଁ ଅଲ ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘ ତରଫରୁ ରକ୍ତ ପରୀକ୍ଷା କେନ୍ଦ୍ର, ସଫେଇ କର୍ମଚାରୀ ଦୁଇ ଘଣ୍ଟିଆ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଥିଲା । ଖାସ କରି ରକ୍ତ ପରୀକ୍ଷା ପାଇଁ ଆସିଥିବା ରୋଗୀମାନେ ଅଟକି ରହିଥିଲେ, ଯାହା ଫଳରେ ଆସିଥିବା ରୋଗୀମାନେ ଦୁଇ ଘଣ୍ଟା ପାଇଁ ହଇରାଣ ହୋଇଥିଲେ । ଏହି କାର୍ଯ୍ୟ ବନ୍ଦ ଯୋଗୁଁ ଟିଟିଲାଗଡ ମାତୃ ଶିଶୁ ହସ୍ପିଟାଲ ଓ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ କିଛି ସମୟ ରୋଗୀ ହଇରାଣ ହୋଇଥିଲେ । ଏହି ଅସୁବିଧା ପାଇଁ ଆଉଟ ସୋର୍ସିଂ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ତଥା ଦାବିକୁ ଶୀଘ୍ର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.