ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରୁ ଜଣାଗଲା ଯେ, ସମନ୍ଵିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ପାଞ୍ଚଟି ବ୍ଲକରେ ୫୫ ଏକର ନୂତନ ଆମ୍ବ ବଗିଚା ସୃଷ୍ଟି କରାଯାଇଛି । ସେହିପରି, ୫ ଏକର ଜମିରେ ନୂତନ ହାଇବ୍ରିଡ ଅମୃତଭଣ୍ଡା ବଗିଚା ସୃଷ୍ଟି କରାଯାଇଛି । ଏହାସହିତ ଉଦ୍ୟାନ କୃଷି ବିଭାଗର ଯୋଜନାମାନ, ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, “ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଏବଂ ଖାଇବା ତେଲର ଜାତୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ନୂଆଗାଁ ଗ୍ରାମର ମହେଶ୍ୱର ବାଗ, ପଲ୍ସାଗୁଡ଼ାର ଧିରୁ ସାହୁ, ବ୍ରହ୍ମାପଡ଼ାର ସୁକାନ୍ତି କଶ୍ୟପ, ମହୁଲପଡ଼ାର ନିରଞ୍ଜନ ମାଝୀ ଓ ଖଡ଼ିଆଳ ଛତା ଗ୍ରାମର ମଣିରାମ ମାଝୀ । ବୈଠକରେ କୋମନା ସହାୟକ ଉଦ୍ୟାନ କୃଷି ଅଧିକାରିଣୀ ଆରାଧନା ଶବର, କୋମନା ଉଦ୍ୟାନ କୃଷି ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ, ନୂଆପଡ଼ା ଉଦ୍ୟାନ କୃଷି ଅଧିକାରୀ ଗୋବର୍ଦ୍ଧନ ପାଢ଼ୀ, ଖଡ଼ିଆଳ ସହାୟକ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକ ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।