ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୁର୍ବୃତ୍ତ : କାବୁ କଲା ପୁଲିସ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରରେ ବୁଲିଲା ଖଣ୍ଡା । ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ୍ । ଲୋକେ କହିଲେ ସାବାସ ପୁଲିସ୍ । ଗତକାଲି ରାତି ପ୍ରାୟ ୯.୪୫ରେ ସୋନପୁର ନୂତନ ବସଷ୍ଟାଣ୍ଡ ସାମନା ତଥା ଠିପି ବନ୍ଦ ମଦ ଦୋକାନ ପାଖରେ ବିଚ୍ ରାସ୍ତାରେ ଜଣେ ନିଶାଖୋର ଯୁବକ ଏକ ବଡ଼ ଖଣ୍ଡା ଧରି ବିଭିନ୍ନ ଢଙ୍ଗରେ ବୁଲାଇବା ସହିତ ତଳେ କଚାଡୁ ଥିଲା ଓ ଲୋକଙ୍କୁ ଭୟଭୀତ କରୁଥିଲା । କିନ୍ତୁ ସୌଭାଗ୍ୟ ବଶତଃ ସୋନପୁର ପୁଲିସର ପିସିଆର୍‌ ଭ୍ୟାନ ସେହି ରାସ୍ତା ଦେଇ ଆସୁଥିବା ବେଳେ ଯୁବକର ଗତିବିଧି ଦେଖି ତା ପାଖକୁ ଯିବା ବେଳେ ଯୁବକ ଜଣକ ନିକଟସ୍ଥ ନାଳରେ ଖଣ୍ଡାଟିକୁ ଫୋପାଡି ଦେଇଥିଲା । ପରେ ପୁଲିସ୍ ନାଳରୁ ବିରାଟ ଖଣ୍ଡାକୁ ଉଦ୍ଧାର କରିବା ସହ ଜବତ କରିଥିଲା । ପରେ ଯୁବକକୁ ସୋନପୁର ଥାନା ଅଧିକାରୀ ଯାଦବ ବାଗ ଅଧିକ ପଚରାଉଚରା କରିଥିବା ବେଳେ ଯୁବକଟି ନିଶା ସେବନ ସହ ମାନସିକ ବିକାରଗ୍ରସ୍ତ ଥିବା ଜଣାପଡିଥିଲା । ପରେ ଯୁବକକୁ ପୁରୁଣା ହସ୍ପିଟାଲ ଠାରେ ଅବସ୍ଥିତ ମାନସିକ ରୋଗୀଙ୍କ ଚିକିତ୍ସା ଓ ଆଶ୍ରୟ ସ୍ଥଳ (ମାମି)ରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ବାଗ । ସେପଟେ ସକାଳୁ ବୁଢ଼ାରଜା ମନ୍ଦିର କମିଟିର ଯୁବକମାନେ ଥାନାରେ ପହଞ୍ଚି ମନ୍ଦିରର ଖଣ୍ଡା ଚୋରି ହୋଇଥିବା ଅଭିଯୋଗ କରିଥିବା ବେଳେ ସମ୍ପୃକ୍ତ ଯୁବକଙ୍କ ପାଖରୁ ଜବତ ହୋଇଥିବା ପିତଳ ନିର୍ମିତ ଖଣ୍ଡାକୁ ଚିହ୍ନଟ କରି ଥାନାରୁ ନେଇଥିଲେ । ନୂତନ ଥାନାଧିକାରୀ ଶ୍ରୀ ବାଗ ସୋନପୁର ଥାନାରେ ଯୋଗ ଦେବା ପରେ ପୁଲିସ୍‌ର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉ କି ଯେ, ଶ୍ରୀ ବାଗ ଅଳ୍ପ ଦିନ ଆଗରୁ ସହରର ବିଭନ୍ନ ବର୍ଗର ନାଗରିକଙ୍କୁ ନେଇ ସୋନପୁର ଥାନାରେ ଏକ ଶାନ୍ତି କମିଟି ବୈଠକ ଅୟୋଜନ କରି ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.