ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତ ଫେବୃଆରୀ ୧୩ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଓଡିଶା ପୋଲିସ ପକ୍ଷରୁ ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ‘ଅପରେସନ୍ ସାଇବର କବଚ’ ଅଧୀନରେ ପୋଲିସ ପକ୍ଷରୁ ମ୍ୟୁଲ୍ (ବେନାମୀ) ଆକାଉଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ସମଗ୍ର ଜିଲ୍ଲା ଏବେ ପୋଲିସର ସ୍କାନରରେ ରହିଥିବା କହିଛନ୍ତି ଏସ୍ପି ନାରାୟଣ ନାୟକ । ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଦ୍ୱାରା ସାଇବର ଠକେଇରେ ବ୍ୟବହୃତ (ବେନାମୀ) ୧୫୦୧ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି । ଏନେଇ ସୋନପୁର ଥାନାରେ ୩ଟି, ବୀରମହାରାଜପୁର ଥାନାରେ ୨ଟି, ବିନିକା ସୁବଳୟା, ଡୁଙ୍ଗୁରିପାଲି ଓ ସାଇବର ସେଲ୍ ଏବଂ ଇଓ ପିଏସ୍ରେ ଗୋଟିଏ ଲେଖାଏଁ ସର୍ବମୋଟ ୯ଟି କେସ ରୁଜୁ କରାଯାଇ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ୨୬ ଜଣଙ୍କୁ ଆଇନଗତ ନୋଟିସ ଜାରି କରାଯାଇଛି ବୋଲି ସୁବର୍ଣ୍ଣପୁର ଏସ୍ପି ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲାରେ ଚିହ୍ନଟ ହୋଇଥିବା ବେନାମୀ ଆକାଉଣ୍ଟରେ ସମୁଦାୟ ୭ କୋଟି ୮୨ ଲକ୍ଷ ଟଙ୍କାର କାରବାର ହୋଇଥିଲା ବେଳେ ଆସାମୀ ମାନଙ୍କଠାରୁ ମୋବାଇଲ, ଏଟିଏମ କାର୍ଡ ଏବଂ ପାସବୁକ ଜବତ କରାଯାଇଛି । ଗତକାଲି ଆକାଉଣ୍ଟ ଯାଞ୍ଚ ସମୟରେ ୬ଟି ମ୍ୟୁଲ୍ ଏକାଉଣ୍ଟ ଠାବ କରାଯାଇଥିଲା । ଏହି ସମ୍ପୃକ୍ତରେ ସାଇବର ସେଲ୍ ଓ ଥାନାରେ ଆଇଟି ଆକ୍ଟରେ ମାମଲା ରୁଜୁ କରଯାଇ ପ୍ରାଥମିକ ତଦନ୍ତରେ ଏହି ଆକାଉଣ୍ଟ ମାନଙ୍କରୁ ୩ କୋଟି ୧୭ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡିଥିଲା । ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖି ପଚାରିବାରୁ ସେମାନେ ନିଜ ଆକାଉଣ୍ଟ ସାଇବର ଫ୍ରଡରେ ବିନିଯୋଗ କରିବା କଥା ମାନିଥିଲେ । ଠକେଇ ଅଭିଯୋଗରେ ସୋନପୁର ଥାନା ସୋନପୁର ସହର ଶାନ୍ତିନଗର ପଡାର ଜିତେନ୍ଦ୍ର ପଣ୍ଡା, ବାଇଗନଜୁରୀର ନୀଳାମ୍ବର ତ୍ରିପାଠୀ, ମାରୁତି ନଗରର ବିଜୟ ବଡ଼ମାଳୀ, ବିନିକା ଥାନା ଶଙ୍କରା ମାଲିଗୋଠ ଗ୍ରାମର ସରୋଜ ବାଗ, ବାଉଁଶୁଣୀ ଗ୍ରାମର ଜଗନ୍ନାଥ ସା, ବିନିକା ଥାନା ଗଣେଶପୁର ଅଞ୍ଚଳର ଆନନ୍ଦ ନାୟକ, ବିନିକା ଥାନା କମିରା ଗ୍ରାମର ବ୍ୟାସଦେବ କୁମ୍ଭାର, ସକ୍ମା ଗ୍ରାମର ପ୍ରିତମ ବାଗ, ବୀରମହାରାଜପୁର ଥାନା ପୁଲେଶ୍ୱର ଗ୍ରାମର କାର୍ତ୍ତିକେଶ୍ୱର ଜଗଦଲାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ମୋବାଇଲ, ଏଟିଏମ୍ କାର୍ଡ ଓ ପାସବୁକ ଜବତ କରାଯିବା ସହ ସମସ୍ତ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବଂ ଜନସାଧାରଣଙ୍କୁ ସୁବର୍ଣ୍ଣପୁର ପୋଲିସ ତରଫରୁ ଅପିଲ କରାଯାଇଛି ଯେକୌଣସି ଅଜଣା ନମ୍ବରରୁ ଲୋଭନୀୟ ଅଫର ଉପରେ ବିଶ୍ୱସେ କରନ୍ତୁ ନାହିଁ ଏବଂ ଆବଶ୍ୟକ ସ୍ଥଳେ ନ୍ୟାସନ୍ୟାଲ ସାଇବର ହେଲ୍ପ ଲାଇନ ନମ୍ବର ୧୯୩୦ ବା ସୁବର୍ଣ୍ଣପୁର ସାଇବର ପୋଲିସ ହେଲ୍ପ ଲାଇନ ନମ୍ବର ୮୨୮୦୪୪୬୫୪୧ରେ ଯୋଗାଯୋଗ କରନ୍ତୁ ବୋଲି ଏସପି ଶ୍ରୀ ନାୟକ ସାମ୍ବାଦିକଙ୍କ ଜରିଆରେ ସୂଚନା ଦେଇଛନ୍ତି ।