ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଦଭାବନା ଭବନ ଠାରେ ସୂଚନା ଅଧିକାର ଅଧିନିୟମ -୨୦୦୫ ଉପରେ ଏକ କର୍ମଶାଳା ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଓ ଇଂରାଜୀରେ ସୂଚନା ଅଧିକାର ଅଧିନିୟମ -୨୦୦୫ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅଧିକାର ଅଧିନିୟମ -୨୦୦୫ର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ୱୟନ ଉଦ୍ଦେଶ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗ ତଥା କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଜନସୂଚନା ଅଧିକାରୀ, ସହକାରୀ ଜନସୂଚନା ଅଧିକାରୀଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ପ୍ରଶିକ୍ଷଣ କର୍ମଶାଳା । ଏହି କର୍ମଶାଳାରେ ଭୁବନେଶ୍ୱର ସ୍ଥିତ ଲୁମିନଶ ପ୍ରାଇଭେଟ ଲିମିଟେଡ଼ରୁ ରଞ୍ଜନ କୁମାର ବକ୍ସି ବିଶାରଦ ଯୋଗ ଦେଇ (ଡିସ୍କ୍ଲୋଜରର ଅପଡେସନ୍) ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସ୍ୱତପ୍ରବୃତ୍ତ ସୂଚନା ପ୍ରକାଶନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସୂଚନା ଅଧିକାର ଆଇନ୍ରେ ଦରଖାସ୍ତ ଗ୍ରହଣ ତଥା ଉତ୍ତର ପ୍ରଦାନ, ଅନ୍ଲାଇନ୍ରେ ସମସ୍ତ ପ୍ରକ୍ରିୟା ସମ୍ପାଦନ କୌଶଳ ଆଦି ବିଷୟରେ ବିଶଦ ଆଲୋଚନା କରିଥିଲେ । ପରେ ପରେ ପ୍ରଶ୍ନୋତ୍ତର ଅଧିବେଶନରେ ଅଧିକାରୀମାନେ ସୂଚନା ଅଧିକାର ଆଇନ୍ରେ ଆବେଦନ ଗ୍ରହଣ, ଉତ୍ତର ପ୍ରଦାନ ଆଦି କ୍ଷେତ୍ରରେ ଥିବା ଅସୁବିଧା ତଥା ସନ୍ଦେହ ସମ୍ବନ୍ଧରେ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ଦୂର କରିଥିଲେ । ସୂଚନା ଅଧିକାର ଅଧିନିୟମ -୨୦୦୫ ଉପରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କର୍ମଶାଳାରେ ବିଭିନ୍ନ ବିଭାଗ ଏବଂ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଜନ ସୂଚନା ଅଧିକାରୀ ଓ ସହକାରୀ ଜନ ସୂଚନା ଅଧିକାରୀମାନେ ଉପସ୍ଥିତ ରହିଥିଲେ ।