ନୂଆପଡ଼ାରେ ଅନ୍ତର୍ଜାତୀୟ ମହିଳା ଦିବସ ଉଦଯାପନୀ ଦିବସରେ ବିଶାଳ ସ୍ଲୋ ମାରାଥନ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ର ତୃତୀୟ ତଥା ଉଦଯାପନୀ ଦିବସରେ ସଦର ମହକୁମାରେ କ୍ରୀଡ଼ା ବିଭାଗ ପକ୍ଷରୁ ଏକ ସ୍ଲୋ ମାରାଥନର ଆୟୋଜନ କରଯାଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ପ୍ରାୟ ୩୫୦ ଜଣ ବାଳିକା ଓ ମହିଳା ଅଂଶଗ୍ରହଣ କରିଥିଲେ । ନୂଆପଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ସ୍ଲୋ ମାରାଥନରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ଡିଆର୍‌ସିଏସ୍‌ ଶିବ ପ୍ରସାଦ ସ୍ୱାଇଁ, ଉପ ନିର୍ଦ୍ଦେଶକ ପରିସଂଖ୍ୟାନ ଦିଲେଶ୍ଵର ଧରୁଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସ୍ୱଚ୍ଛତା ଅଧିକାରୀ ଅନିଲ ଲେଙ୍କା, ଯୋଗ ଗୁରୁ ଶଶୀ ଭୂଷଣ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଯୋଗ ଗୁରୁ ଶଶୀ ଭୂଷଣ ପାଣିଗ୍ରାହୀ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିବା ବେଳେ ଦେବବ୍ରତ ସାହୁ ଶାରୀରିକ ବ୍ୟାୟାମ କରାଇଥିଲେ । ଜିଲ୍ଲାପାଳ ଉପସ୍ଥିତ ଛାତ୍ରୀ ଏବଂ ମହିଳାମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ସୁସ୍ଥ ରହିବା ପାଇଁ ନିୟମିତ ଶାରୀରିକ ବ୍ୟାୟାମ, ଯୋଗ, ପ୍ରାଣାୟାମ ଓ ଖେଳକୁଦ ଅତ୍ୟାବଶ୍ୟକ । ସମାରୋହରେ କ୍ରୀଡା କ୍ଷେତ୍ରରେ ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ପାଇଁ କୁମାରୀ କୌଶଲ୍ୟା ମାଝୀଙ୍କୁ ଜିଲ୍ଲାପାଳ ଉପଢୌକନ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ । ସେହିପରି ତିନିଦିନ ଧରି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଭାଗୀ ଭାବେ କୁମାରୀ ଗୋପୀ ବରିହାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.