‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ୱାନ – ଧର୍ମେନ୍ଦ୍ର ପ୍ରଧାନ
• ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ବିଚାରକ ସମ୍ମିଳନୀରେ ମାତୃଶକ୍ତିର ଗୌରବ ଗାନ
• ମକାଉଲେ ଶିକ୍ଷା ପଦ୍ଧତି ଦ୍ୱାରା ସୃଷ୍ଟ ବିଚାରଗତ ବିଭ୍ରାଟ ଯୋଗୁଁ ମାତୃଶକ୍ତି ଅଧିକ କ୍ଷତିଗ୍ରସ୍ତ
• ୨୦୩୫ ସୁଦ୍ଧା ଗୋଲାମୀ ମାନସିକତାକୁ ପରିତ୍ୟାଗ କରି ସାଂସ୍କୃତିକ ମୂଲ୍ୟବୋଧକୁ ଫେରାଇ ଆଣିବା
• ବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ପାଇଁ ସାମଗ୍ରିକ ଆଭିମୁଖ୍ୟ ଆପଣାଇବା ସମୟର ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି ଆଜି ନୂଆଦିଲ୍ଲୀ ଠାରେ ‘ଭାରତୀ-ନାରୀ ସେ ନାରାୟଣୀ’ର ଉଦଯାପନୀ ଅଧିବେଶନ ‘କୃତି’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ରାଷ୍ଟ୍ରୀୟ ବିଦ୍ୱତ ପରିଷଦ ଏବଂ ରାଷ୍ଟ୍ର ସେବିକା ସମିତି ଦ୍ୱାରା ଆୟୋଜିତ ଦୁଇ ଦିନିଆ ମହିଳା ବିଚାରକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ମାତୃଶକ୍ତିର ଗୌରବ ଗାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଅଭିଭାଷଣ ରଖି କହିଛନ୍ତି ଯେ, ‘ନାରୀ ତୁ ନାରାୟଣୀ’ ଆମ ସଂସ୍କୃତି ଓ ସଭ୍ୟତାର ମୂଳ ଅବଧାରଣା । ଏହି ସମ୍ମିଳନୀ ସେହି ପବିତ୍ର ବିଚାରଧାରାର ଏକ ପ୍ରତିଫଳନ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୩୫ ସୁଦ୍ଧା ଭାରତକୁ ମାକାଉଲେଙ୍କ ଗୋଲାମୀ ମାନସିକତାରୁ ମୁକ୍ତ କରିବାକୁ ହେବ । ଏହି ଔପନିବେଶିକ ମାନସିକତା ଯୋଗୁଁ ସମାଜରେ ଯେଉଁ ବିଚାରଗତ ବିଭ୍ରାଟ ସୃଷ୍ଟି ହୋଇଛି, ତାହାର ସବୁଠାରୁ ଅଧିକ କ୍ଷତି ଆମର ମାତୃଶକ୍ତି ସହିଛନ୍ତି । ଆମର ମୂଳ ପରମ୍ପରାକୁ ବଦଳାଇବା ପାଇଁ ହୋଇଥିବା ପ୍ରୟାସକୁ ଏବେ ସଂସ୍କାର କରିବାର ସମୟ ଆସିଛି ।
ମହିଳା ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ହୋଇଥିବା ମନ୍ଥନ ପ୍ରଶଂସନୀୟ । ବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆମକୁ ଏକ ସମାବେଶୀ ଦୃଷ୍ଟିଭଙ୍ଗୀ ଏବଂ ସାମଗ୍ରିକ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବାକୁ ହେବ । ଶ୍ରୀ ପ୍ରଧାନ ଏହି ଦୁଇ ଦିନିଆ ସମ୍ମିଳନୀରୁ ନିର୍ଗତ ହୋଇଥିବା ଅମୃତ ବିଚାରକୁ ଦେଶବାସୀଙ୍କ ସମ୍ମୁଖରେ ପ୍ରଖରତାର ସହ ଉପସ୍ଥାପନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା ଟି. ପ୍ରଧାନ, ପ୍ରତିଷ୍ଠିତ ହିନ୍ଦୁ ସନ୍ନ୍ୟାସିନୀ ତଥା ସମାଜସେବୀ ପଦ୍ମଭୂଷଣ ସାଧ୍ୱୀ ରିତାମ୍ଭରା, ବହୁ ବିଶିଷ୍ଟ ମହିଳା ବିଚାରକ ଏବଂ ଶିକ୍ଷାବିତମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.