ନୂଆପଡା, (ସନ୍ତୋଷ ପଟ୍ଟନାୟକ) : କେନ୍ଦ୍ର ଗୃହ ଓ ସମବାୟ ବିଭାଗ ମନ୍ତ୍ରୀ ଅମିତ ଶାହ ଆଭାସୀ ମାଧ୍ୟମରେ ନୂଆପଡାରେ ଏକ ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅନେକ ଗୁଡ଼ିଏ ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ୍ ଥାନାକୁ ଏକାସାଥିରେ ଉଦ୍ଘାଟନ କରାଯାଇଛି । ଭୁବନେଶ୍ୱର ୟୁନିଟ୍–୩ ଅଞ୍ଚଳର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନୂଆପଡା ପୋଲିସ ଥାନାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଏହି ଥାନାର ନାମ ଫଳକ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକଙ୍କ ସହ ପୋଲିସ୍ ବିଭାଗର ସମସ୍ତ ଅଧିକାରୀ, ସମସ୍ତ ଥାନା ଅଧିକାରୀ, ନୂଆପଡ଼ାର ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ମଣ୍ଡଳୀ, ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଏହି ଭର୍ଚୁଆଲ୍ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବଡ଼ ପରଦାରେ ଉପଭୋଗ କରିଥିଲେ । ନୂଆପଡାରେ ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ୍ ଥାନା ସ୍ଥାପନ ହେବାରୁ ସାଇବର ଠକେଇ ଓ ଅନଲାଇନ୍ ଅର୍ଥନୈତିକ ଅପରାଧ ସମ୍ବନ୍ଧୀୟ ଅଭିଯୋଗର ଶୀଘ୍ର ତଦନ୍ତ ଓ ନିବାରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଶା ପ୍ରକାଶ କରିଛନ୍ତି ।
Prev Post
Next Post