ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିର ଏହି ଭାବନା ସହିତ, ସିକନ୍ଦରାବାଦର ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଜାତୀୟ ପ୍ରତିଷ୍ଠାନ (ଏନଆଇଇପପିଆଇଡି), ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ରାଉରକେଲା ଏବଂ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ଗୁରୁବାର ଭାରତୀୟ ବୁଦ୍ଧିମତା ପରୀକ୍ଷା ଉପରେ ଏକ ଜାତୀୟ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗଜନଙ୍କ ପାଇଁ ସଠିକ୍ ମୂଲ୍ୟାଙ୍କନ ଏବଂ ଉନ୍ନତ ସେବା ସୁନିଶ୍ଚିତ କରିବା ପାଇଁ ବୃତ୍ତିଗତ କ୍ଷମତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ସାରା ଦେଶରୁ ୯୮ ଜଣ କ୍ଲିନିକାଲ ମନସ୍ତତ୍ତ୍ୱବିତ ଏବଂ ପୁନର୍ବାସ ମନସ୍ତତ୍ତ୍ୱବିତଙ୍କୁ ଏକତ୍ରିତ କରାଯାଇଥିଲା । ଉଦଘାଟନୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ରାଉରକେଲା କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତାଗୀର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସ୍ଏସ୍ଇପିଡିର ଡେପୁଟି ସେକ୍ରେଟାରୀ ସନ୍ୟାସାଇ କୁମାର ବେହେରା, ଏନ୍ଆଇଟି କୂଳପତି ପ୍ରଫେସର ରୋହନ ଧୀମାନ, ଏନଆଇଟି ପ୍ରଫେସର ଜଳଧର ପ୍ରଧାନ, ସହଯୋଗୀ ପ୍ରଫେସର ଡ. ସରୋଜ ଆର୍ଯ୍ୟ, ସହଯୋଗୀ ପ୍ରଫେସର ରାମକୃଷ୍ଣ ବିଶ୍ୱାଳ, ପ୍ରାକ୍ତନ ସହଯୋଗୀ ପ୍ରଫେସର ସୁନିତା ଦେବୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରମୁଖ ସଂଯୋଜକ ପ୍ରଫେସର ଆର୍କେ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ଏହି ତାଲିମର ଲକ୍ଷ୍ୟ ମନୋବିଜ୍ଞାନୀ ଏବଂ ପୁନର୍ବାସନ ବୃତ୍ତିଗତମାନଙ୍କୁ ମାନକ ଏବଂ ନୈତିକ ଉପାୟରେ ଏନଆଇଟିଆଇ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକୀୟ ଜ୍ଞାନ ଏବଂ ବ୍ୟବହାରିକ ଦକ୍ଷତା ସହିତ ସଜ୍ଜିତ କରି ସେମାନଙ୍କ ବୃତ୍ତିଗତ କ୍ଷମତାକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟଅତିଥି ସୁଶ୍ରୀ ଦସ୍ତାଗୀର ଦିବ୍ୟାଙ୍ଗଜନଙ୍କ ପାଇଁ ଅନ୍ତର୍ଭୁକ୍ତିମୂଳକ ପଥ ନିର୍ମାଣ କରିବା ଦିଗରେ ଅର୍ଥପୂର୍ଣ୍ଣ ପଦକ୍ଷେପ ନେବା ପାଇଁ ପ୍ରଶଂସା କରିଥିଲେ । ସେ ଜ୍ଞାନ ଆଦାନ ପ୍ରଦାନ ଏବଂ ସାମାଜିକ ଉନ୍ନତି ପାଇଁ ଅନୁଷ୍ଠାନଗୁଡିକ ମଧ୍ୟରେ ନିରନ୍ତର ସହଯୋଗକୁ ଉତ୍ସାହିତ କରିଥିଲେ । ଡିଏସଏସଓର ମିତାଲି ରଣା କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସ୍ଥା ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ରିନୁଲତା ମହାରଣା, ସୁକୁମାର ପାଣ୍ଡବ, ଚନ୍ଦ୍ରିକା ପାଣ୍ଡବ, ଅର୍ଚ୍ଚନା ମିଞ୍ଜ, ଧୀରେନ୍ଦ୍ର ଓଝା, ଗଗନ ମହାନ୍ତି, ସୌଦାମିନୀ ପଟ୍ଟନାୟକ, ଉଦୟ ସା ଓ ଏନଆଇଟିରୁ ବିରେନ୍, ଆଶୁତୋଷ, ହେମାନନ୍ଦ, ଅର୍ପିତା, କୋଏନା, ଜିତାଦିତ୍ୱ, ପୂଜା, ବିନୟ, ରିଷିକେଶ, ସୋଏମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।