ବଲାଣି ପଞ୍ଚାୟତରେ ବିନା ଗ୍ରାମସଭାରେ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ

  • ବର୍ଷ ବର୍ଷ ଧରି ଶତାଧିକ ବାସହରାଙ୍କ ଜମି ଚିହ୍ନଟ ହୋଇ ନଥିବା ବେଳେ ଶିଳ୍ପପତିଙ୍କ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କ ମାତ୍ରାଧିକ ତତ୍ପରତା କଣ ପାଇଁ ?

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ପାନପୋଷ ଉପଖଣ୍ଡ ଅଧୀନରେ ଥିବା ଲାଠିକଟା ବ୍ଲକର ବଲାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାଣି ମୌଜ଼ାର ଖାତା ନମ୍ବର-୧୧୯/୨୧୩, ପ୍ଲଟ ନମ୍ବର-୨ରେ ଥିବା ପ୍ରାୟ ୨୧.୩୫ ଏକର ଜାଗାକୁ ରାଜ୍ୟ ସରକାରଙ୍କ ଇଡ଼କୋ ମାଧ୍ୟମରେ ଏନଭିରୋକେୟାର ଇନଫ୍ରାସଲ୍ୟୁସନ ପ୍ରାଇଭେଟ ଲିଃ ନାମକ ଏକ ଘରୋଇ ସଂସ୍ଥାକୁ ଦେଇଥିଲେ । ରାଜ୍ୟ ସରକାରଙ୍କ ଠାରୁ ସମସ୍ତ କାଗଜପତ୍ର ପାଇବା ପରେ ଉକ୍ତ କମ୍ପାନୀ ଜମି ଅଧିଗ୍ରହଣ ପାଇଁ ଲାଠିକଟା ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ । ରାଜ୍ୟରେ ରହୁଥିବା ବାସହରା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ୪ ଡେସିମିଲ ଜମି ଯୋଗାଇଦେବା ପାଇଁ ନିର୍ଦେଶ ନାମା ଜାରୀ ପରେ ଲାଠିକଟା ତାହାସିଲରେ ଶତାଧିକ ବାସହରା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୫/୧୦ ବର୍ଷ ହେବ ଜମି ପଟ୍ଟା ପ୍ରଦାନ କରାକାଇ ସାରିଥିବାବେଳେ ଏ ପର୍ଯ୍ୟନ୍ତ ସେମାନଙ୍କର ଜମି ଚିହ୍ନଟ କରାଯାଉନଥିବା ବେଳେ ପଞ୍ଚାୟତ ଅଧୀନରେ ଥିବା ଜାଗାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଘରୋଇ କମ୍ପାନୀର ଜମି ଚିହ୍ନଟ ପାଇଁ ତହସିଲଦାରଙ୍କ ତତ୍ପରତାକୁ ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେ ପୁଣି ବିନା ଗ୍ରାମ ସଭାରେ ।ଜମି ଅଧିଗ୍ରହଣ ଏବଂ ଜମି ଚିହ୍ନଟ ପାଇଁ ଲାଠିକଟା ତହସିଲଦାରଙ୍କ ବାରମ୍ବାର ଉଦ୍ୟମକୁ ବିରୋଧ କରି ଗ୍ରାମବାସୀମାନେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ମକୋଦ୍ଦମା ଦାୟର କରିଥିଲେ । ମାନ୍ୟବର ନ୍ୟାୟାଳୟର ଦୁଇଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏକ ଡବଲ ଖଣ୍ଡପୀଠ ଯାହାର ଶୁଣାଣି ଗତ ୨୭/୨/୨୦୨୬ରେ କରି ନିଜ ରାୟକୁ ସୁରକ୍ଷିତ ରଖିଛନ୍ତି । ଯେକୌଣସି ସମୟରେ ଏହି ରାୟ ପ୍ରକାଶ ପାଇବ । ତେବେ ମାନ୍ୟବର ନ୍ୟାୟାଳୟର ରାୟକୁ ଅପେକ୍ଷା ନକରି ପୁନଃ ଲାଠିକଟା ତହସିଲଦାର ଆଜି ଉକ୍ତ ଜମି ଚିହ୍ନଟ ଏବଂ ଅଧିଗ୍ରହଣ କାର୍ଯ୍ୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହାକୁ ସମସ୍ତ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିଲେ । ଆଜି ବଲାଣି ଗ୍ରାମର ନୂଆଁଗା-ବଲାଣି ସୀମାନ୍ତରେ ବଲାଣି ସରପଞ୍ଚ ଅର୍ଜୁନ ଏକ୍କଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀମାନେ ଏକତ୍ରିତ ହୋଇ ବିନା ଗ୍ରାମସଭାରେ ହୋଇଥିବା ଜମି ମାଲିକାନା ପରିବର୍ତ୍ତନ ପ୍ରକ୍ରିୟାଜୁ ସର୍ବସମ୍ମତି କ୍ରମେ ନିନ୍ଦା କରାଯାଇଥିଲା । ଏହି ବୈଠକରେ ଗର୍ଜ୍ଜନ ଗ୍ରାମ ପଂଚାୟତର ସରପଞ୍ଚ ସଚିନ ଏକ୍କା, ବିରକେରା ସରପଞ୍ଚ ରବି ତିର୍କୀ, ସୁଇଡ଼ିହି ସରପଞ୍ଚ ଶ୍ରୀମତୀ ଅରୁଣା ଇରାଣୀ କିଷାନ, ଲାଠିକଟା ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ବାସନ୍ତୀ ଓରାମ, ସମାଜସେବୀ ଉମେଶ ନାଗ, ବାସୁ ସରଘରିଆ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଲଗାଇ ଜୋର୍‌ ଜବରଦସ୍ତ ଆଜି ହିଁ ଜମି ଅଧିଗ୍ରହଣ କାର୍ଯ୍ୟ କରିବା ପାଇଁ ତହସିଲଦାର କରିଥିବା ପ୍ରୟାସ ଶେଷରେ ଶତାଧିକ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ସ୍ଥଗିତ ରଖାଯାଇଛି । ତେବେ ଗ୍ରାମସଭାରେ ଚର୍ଚ୍ଚା ନକରି ଏବଂ ପଂଚାୟତରୁ ଅନୁମତି ନ ନେଇ ହେଉଥିବା କାର୍ଯ୍ୟ ଯାହାକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି, ନ୍ୟାୟାଳୟର ରାୟକୁ ଅପେକ୍ଷା ନକରି ଶିଳ୍ପପତିଙ୍କ ପ୍ରତି ତହସିଲଦାରଙ୍କ ଏତେ ଦରଦ କଣ ପାଇଁ ତାହା ଆଜି ପ୍ରଶ୍ନବାଚୀ ହୋଇଛି । ଅପରପଟେ ଗତ ଦୀର୍ଘ ବର୍ଷ ତଳୁ ଶତାଧିକ ବାସହରାଙ୍କୁ ଜମି ପଟ୍ଟା ମିଳି ସାରିଥିଲା ବେଳେ ସେମାନଙ୍କ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କ ପାଖରେ ସମୟ ନଥିବା ନା କେବଳ ଆଶ୍ଚର୍ଯ୍ୟର ବିଷୟ ତହସିଲଦାରଙ୍କ ଏପରି ଆଚରଣ ତାଙ୍କରି କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାର ଉତ୍ତର ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ।

Leave A Reply

Your email address will not be published.