ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦର ୮ମ ବୈଠକ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଜେପି ଓ ବିଜେଡ଼ି ମଧ୍ୟରେ ମତ ମତାନ୍ତରକୁ ନେଇ ଗୃହରେ ତୀବ୍ର ହଟ୍ଟଗୋଳ, କକ୍ଷତ୍ୟାଗ, ମଧ୍ୟରେ ବିରୋଧୀ ଗୋଷ୍ଠୀଙ୍କ ତରଫରୁ ହୋ-ହାଲା ହୋଇଥିଲା । କୁହାଯାଏ ଯେ’ ବ୍ରହ୍ମପୁର ବିଧାୟକଙ୍କ ଅନୁପସ୍ଥିତିରେ ତାଙ୍କରି ଜଣେ ପ୍ରତିନିଧି ଶିବଦାଶ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରାଙ୍କୁ “ହୁଆର ୟୁ ” ପଚାରିବାରୁ ? ଏହାକୁ ନେଇ ଆହୁରି ଅଧିକା ନିଆଁ ଜଳିଲା । ଏଦିଗରେ ପରିସ୍ଥିତି ଶାନ୍ତ ଆଣିବାକୁ ଗଞ୍ଜାମ ଜିଲ୍ଲାପାଳ ସେହି ଲୋକଟିକୁ ତାଙ୍କରି ପି.ଏସ.ଓ. ମାଧ୍ୟମରେ ଡକାଇ ବାହାରକୁ ବାହାରିଯିବାକୁ କହି ତଡ଼ିଥିଲେ । ଏପଟେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପରିସ୍ଥିତିକୁ ସୁଧାର ଆଣିବାକୁ କିଛି ମାତ୍ରାରେ ମଧ୍ୟସ୍ଥିତା କରି ସଭ୍ୟମାନଙ୍କୁ ବୁଝାଇ ଅନୁରୋଧ କରିଥିଲେ । ବିଜେଡ଼ି ସଦସ୍ୟମାନେ କକ୍ଷତ୍ୟାଗ କରି ତଳେ ବସିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଦୁଇଜଣ ତାଙ୍କରି ସମର୍ଥକ ମେମ୍ବର, ଜିଲ୍ଲାପରିଷଦ ସଭ୍ୟ, ସଭ୍ୟାଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପରିଷଦ ବୈଠକ ପ୍ରତି ତିନି ମାସରେ ଥରେ ନ ବସିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜୋନ୍ ନମ୍ୱର୍- ୨, ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଅନୀମା ପରିଡ଼ା ଏହାର ଦୃଢ ବିରୋଧ କରିଥିବା ସାଂଗକୁ ଗୃହରେ ଦଳୀୟ ମତ ମତାନ୍ତରକୁ ନେଇ ଜିଲ୍ଲାରେ ବିବିଧ ସମସ୍ୟା ଦେଖାଦେଇଛି ବୋଲି ଏହାର ଘୋର ନିନ୍ଦା କରିଛନ୍ତି । ଜିଲ୍ଲାର ବିକାଶ ଦିଗରେ ସମସ୍ତେ ଚିନ୍ତାକରି ସମସ୍ତ ଅଧାପନ୍ତରିଆ କାର୍ଯ୍ୟ ହାତକୁ ନେବାଲାଗି ମିଳିମିଶି ଜନସାଧାରଣଙ୍କ ହିତ ଚିନ୍ତା କରିବାକୁ ବିଧାୟକ ରମେଶ ଚନ୍ଦ୍ର ଜେନା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।
ଜିଲ୍ଲାରେ ପାନୀୟ ଜଳ ଯୋଗାଣ ସମସ୍ୟା ଉତ୍କଟ ହୋଇଛି । ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ସଡ଼କ ପଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ପାରିନଥିବା ଅଭିଯୋଗ ଉଠିଛି । ବନ୍ଧ, ସେତୁ ନିର୍ମାଣ କାର୍ଯ୍ୟରେ ଅବହେଳା, କୃଷି କାର୍ଯ୍ୟରେ ବାଧା ସୃଷ୍ଟି, ଜଳସେଚନର କାର୍ଯ୍ୟକାରୀ ନ ହେବା ସର୍ବୋପରି ବିଜେଡ଼ି ଓ ବିଜେପି ମଧ୍ୟରେ ମତ ମତାନ୍ତରକୁ ନେଇ ଗୃହରେ ହଟ୍ଟଗୋଳ, କକ୍ଷତ୍ୟାଗ, ମଧ୍ୟରେ ବିରୋଧୀ ଗୋଷ୍ଠୀଙ୍କ ତରଫରୁ ହୋ-ହାଲା ହୋଇଥିଲା ।
ଏହି ବୈଠକରେ ଦିଗପହଣ୍ଡି ବିଧାୟକ ଡଃ. ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ସଭାପତି ଅଞ୍ଜଳି ସ୍ୱାଇଁ, ଉପ-ସଭାପତି ଏସ୍. ରାଜେଶ୍ୱରୀ ଦୋରା, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ସମସ୍ତ ଜିଲ୍ଲା ପରିଷଦର ସଦସ୍ୟା ଓ ସଦସ୍ୟ, ବିଭାଗୀୟ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ବିବିଧ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।