ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ‘ଶକ୍ତି ସ୍ୱରୂପିଣୀ’ ଥିମରେ ଆଜିର ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଓ ଦୈନନ୍ଦିନ ଜୀବନରେ ଯୋଗଭ୍ୟାଶର ଗୁରୁତ୍ୱ ସମ୍ପର୍କରେ କହିବା ସହ ନାରୀଟିଏ ସୁସ୍ଥ ରହିଲେ ହିଁ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଡେପୁଟି କଲେକ୍ଟର ହରିଓମ ଶମ୍ଭୁ ନାରାୟଣ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ଏବଂ କ୍ରୀଡା ସଂଗଠକ ସୁମିତ ରଞ୍ଜନ ପୁରୋହିତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସକାଳର ଶାନ୍ତ ପରିବେଶରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ମାନସିକ ଶାନ୍ତି ପାଇଁ ଧ୍ୟାନର ଶିକ୍ଷା ଦିଆଯାଇଥିଲା । ଏହି ଶିବିରେ ବହୁ ସଂଖ୍ୟାରେ ଛାତ୍ରୀ ଏବଂ ମହିଳାମାନେ ଅଂଶଗ୍ରହଣ କରି ଯୋଗ କରିଥିଲେ । ସୌଦାମିନୀ କାଣ୍ଡି ଓ ସୁଭଦ୍ରା ବେହେରା ମିଳିତ ଭାବେ ଯୋଗାଭ୍ୟାସ କରାଇଥିଲେ । ପରାଶର ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.