ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରରେ କ୍ୟାମ୍ପସ୍ ୨ କର୍ପୋରେଟ୍ (ସି୨ସି) ଏବଂ ଆଇଡ଼ିଏସନ୍ ୨ ଅର୍ଗାନାଇଜେସନ୍ (ଆଇ୨ଓ) ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ
ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରରେ ଆଜି କ୍ୟାମ୍ପସ୍ ୨ କର୍ପୋରେଟ୍ (ସି୨ସି) ଏବଂ ଆଇଡ଼ିଏସନ୍ ୨ ଅର୍ଗାନାଇଜେସନ୍ (ଆଇ୨ଓ) ୨.୦ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି । ଉଚ୍ଚ ଶିକ୍ଷା, ଶିଳ୍ପ ଆବଶ୍ୟକତା ଓ ଓଡ଼ିଶା ରାଜ୍ୟରେ ଉଦ୍ୟମିତା ବିକାଶ ମଧ୍ୟରେ ସଂଯୋଗ ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଓଡ଼ିଶା ସରକାରର ଶିଳ୍ପ, କୌଶଳ ବିକାଶ ଓ କାରିଗରୀ ଶିକ୍ଷା ବିଭାଗର ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ଏକୀକରଣ, ଶିଳ୍ପ ସାମଞ୍ଜସ୍ୟ ଏବଂ ଉଦ୍ଭାବନ-ପ୍ରଣୋଦିତ ବୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କଲେ । ଯୁବପିଢ଼ି ମଧ୍ୟରେ ନିୟୋଜନ ଦକ୍ଷତା ଓ ଉଦ୍ୟମିତା ପ୍ରୋତ୍ସାହନ ନିମିତ୍ତ ଶିକ୍ଷାନୁଷ୍ଠାନଗୁଡିକ ଫଳାଭିମୁଖୀ ପ୍ରଶିକ୍ଷଣ ମଡ଼େଲ ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱଆରୋପ କଲେ । ଏହି କାର୍ଯ୍ୟକ୍ରମ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଏବଂ ରାଇରଙ୍ଗପୁର ଦ୍ୱାରା ଟ୍ରେନ ଗୁରୁଏଡୁକେୟାର ପ୍ରାଇଭେଟ୍ ଲିମିଟେଡ୍ ଏବଂ ୱିନିଅର୍ସ ଫୋରମ୍ର ସହଯୋଗରେ ଆୟୋଜିତ ହୋଇଛି । ଶିକ୍ଷାର୍ଥୀମାନଙ୍କୁ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ଓ ଉଦ୍ୟମିତା ସାମର୍ଥ୍ୟ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ । ଡ. ଏମ.କେ. ଦାଶ, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର, ଅଧ୍ୟକ୍ଷତା କଲେ ଏବଂ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ଲାଗି ଶୈକ୍ଷଣିକ ପାଠ୍ୟକ୍ରମ ମଧ୍ୟରେ କୌଶଳ-ଆଧାରିତଶିକ୍ଷଣ, ବ୍ୟବହାରିକ ଅଭିଜ୍ଞତା ଓ ଶିଳ୍ପ ସଂଯୋଗ ସ୍ଥାପନର ମହତ୍ତ୍ୱ ଉଲ୍ଲେଖ କଲେ । ଏନସିଆଇଡିଇ, ଇଗ୍ନୋର ବରିଷ୍ଠ ନିର୍ଦ୍ଦେଶିକା ଡ଼. ଜ୍ୟୋସ୍ନା ଦିକ୍ଷିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଏବଂ ରାଇରଙ୍ଗପୁର, ଟ୍ରେନ ଗୁରୁ ଏବଂ ୱିନିୟର କତୃପକ୍ଷଙ୍କୁ ଏହି ପ୍ରଚେଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଟ୍ରେନ ଗୁରୁ ଏଡୁକେୟାର ପ୍ରାଇଭେଟ୍ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଡ. ସି. ବିଜୟା ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ କର୍ପୋରେଟ ପରିବେଶ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଗଠିତ ଶିଳ୍ପ-ଶିକ୍ଷାଭାଗିଦାରୀ ଓ ଯୋଗ୍ୟତା-ଆଧାରିତ ପ୍ରଶିକ୍ଷଣ ଢ଼ାଞ୍ଚା ଉପରେ ଆଲୋଚନା କଲେ । ୱିନିଅର୍ସ ଫୋରମର ସହ-ପ୍ରତିଷ୍ଠାତ୍ରୀ ଓ ନିର୍ଦ୍ଦେଶିକା ଶ୍ରୀମତୀ ଜୟନ୍ତୀ ମହାପାତ୍ର ଦୀର୍ଘକାଳୀନ ସାମାଜିକ-ଅର୍ଥନୈତିକ ପ୍ରଭାବ ଉତ୍ପନ୍ନ କରିବା ଲାଗି ସ୍ଥାୟୀ ଉଦ୍ୟମିତା ମାର୍ଗ ଗଢ଼ିବା ଓ ଶିଳ୍ପ-ଶିକ୍ଷା ଅଂଶୀଦାରିତା ଦୃଢ଼ କରିବା ବିଷୟରେ ବିସ୍ତୃତ ଆଲୋଚନା କଲେ । କ୍ୟାମ୍ପସ୍ ୨ କର୍ପୋରେଟ୍ (ସି୨ସି) କାର୍ଯ୍ୟକ୍ରମ ବୃତ୍ତିଗତ ଦକ୍ଷତା ବିକାଶ, କର୍ମକ୍ଷେତ୍ର ନୈତିକତା, ଯୋଗାଯୋଗ ଦକ୍ଷତା, ସାକ୍ଷାତ୍କାର ପ୍ରସ୍ତୁତି ଓ ରଣନୈତିକ କ୍ୟାରିୟର ଯୋଜନା ମାଧ୍ୟମରେ ନିୟୋଜନ ଯୋଗ୍ୟତା ବୃଦ୍ଧିରେ ସହାୟତା କରିବ । ଆଇଡ଼ିଏସନ୍ ୨ ଅର୍ଗାନାଇଜେସନ୍ (ଆଇ୨ଓ) ୨.୦ ଉଦ୍ୟୋଗ ୱିନିଅର୍ସ ଫୋରମ୍ର ପ୍ରତିଷ୍ଠାତ୍ରୀ ନିର୍ଦ୍ଦେଶିକା ଡ. ମନୀଷା ଆଚାର୍ଯ୍ୟଙ୍କ ଦ୍ୱାରା ପରିଚାଳିତ । ଏହି ଉଦ୍ୟୋଗ ପ୍ରଶିକ୍ଷଣ, ଶିଳ୍ପ ଅଭିଜ୍ଞତା ଓ ଅଭିଜ୍ଞତା ଭିତ୍ତିକ ଶିକ୍ଷଣ ସୁଯୋଗ ପ୍ରଦାନ ଜରିଆରେ ଉଦ୍ଭାବନୀ ଧାରଣାଗୁଡ଼ିକୁ ସଂଗଠିତ ଓ ବୈଷୟିକ ଉଦ୍ୟୋଗରେ ରୂପାନ୍ତରିତ କରିବାରେ ସହାୟକ ହେବ । ଏହି ପ୍ରୟାସ ‘ବିକଶିତ ଭାରତ @ ୨୦୪୭’ର ଜାତୀୟ ଦୃଷ୍ଟିକୋଣ ସହ ସମନ୍ୱିତ, ଯାହାର ଲକ୍ଷ୍ୟ ହେଉଛି ଦକ୍ଷ ମାନବସମ୍ପଦ, ନବୀନତା ମୂଳକ ପରିବେଶ ଏବଂ ଉଦ୍ୟମିତା ଆଧାରିତ ବିକାଶ ଦ୍ୱାରା ଭାରତକୁ ଏକ ଉନ୍ନତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା । ଏହି କାର୍ଯ୍ୟକ୍ରମ ଶିଳ୍ପ-ପ୍ରାସଙ୍ଗିକଦକ୍ଷତାକୁ ପ୍ରୋତ୍ସାହିତ କରି, ନବସୃଜନ-ଚାଳିତ ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରି ଏବଂ ଶିକ୍ଷା-ଶିଳ୍ପ ଇଣ୍ଟେରଫେସକୁ ସୁଦୃଢ କରି ସ୍କିଲ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ୍ ଇଣ୍ଡିଆ ଭଳି ପ୍ରମୁଖ ଜାତୀୟ ମିଶନକୁ ମଧ୍ୟ ପରିପୂରକ କରିବ । ଉଦ୍ଘାଟନୀ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିଗଣ ଯଥା – ସମାଜସେବୀ, ମାନନୀୟମନ୍ତ୍ରୀ, ଶିକ୍ଷାବିତ, ଶିଳ୍ପପ୍ରତିନିଧି ଏବଂ ବିଦ୍ୟାର୍ଥୀଗଣ ଅଂଶ ଗ୍ରହଣ କରିଥିଲେ । ଏହି ପଦକ୍ଷେପ ଓ ଡ଼ିଶାରେ ନବସୃଜନ, ଉଦ୍ୟମିତା ଏବଂ କୌଶଳ ବିକାଶ ଅଭିଯାନକୁ ଆହୁରି ଆଗକୁ ନେଇଯିବ ।