ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବକ ୨ ଜଣ ଭାପୁର ବ୍ଲକର ଧାନଚେଙ୍ଗଡା ପଞ୍ଚାୟତ ଅଧୀନ କଳଟାଙ୍ଗୀ ଗ୍ରାମର ମଦନ ଧଳଙ୍କ ପୁଅ ବୀରସେନ ଧଳ(୨୨) ଓ ତାରେଶ୍ଵର ବିଶ୍ଵାଳଙ୍କ ପୁଅ ଶିବରାମ ବିଶ୍ଵାଳ(୨୭) ବୋଲି ସୂଚନା ମିଳିଛି । ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗ୍ରାମରୁ ବୋଦସା ଦେଇ କଳଟାଙ୍ଗୀ ଗ୍ରାମକୁ ଯାଉଥିବା ବେଳେ ବେପରୁଆ ଭାବେ ଦୃତଗତିରେ ବାଇକ ଚାଳନା ଯୋଗୁଁ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵକୁ ଉଭୟେ ଖସିପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆଶୁ ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଉଭୟଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣାକୁ ନେଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସମେତ କଳଟାଙ୍ଗୀ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।