ମାର୍ଚ୍ଚ ୬ରୁ ୮ ତିନି ଦିନ ଧରି ପାଳନ ହେବ ଅନ୍ତର୍ଜାତୀୟ ମହିଳା ଦିବସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କ୍ରୀଡା ବିଭାଗ ଦ୍ୱାରା ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ପଞ୍ଚାୟତିରାଜ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା ଉପସ୍ଥିତ ଥିଲେ । ଏହି ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ୩ ଦିନ ଧରି ହେବାକୁ ଥିବାବେଳେ ପ୍ରଥମ ଦିନ ୬ ମାର୍ଚ୍ଚ ରେ ସକାଳ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ମହିଳା ମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗାଭ୍ୟାସ ଏବଂ ବିଭିନ୍ନ ବ୍ୟୟାମ ଜିଲ୍ଲା ଟାଉନ ହଲରେ ଆୟୋଜିତ ହେବ ସେହିପରି ଦ୍ୱିତୀୟ ଦିନ ୭ ମାର୍ଚ୍ଚରେ ସକାଳ ସମୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଓ ନେତୃତ୍ୱ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜିଲ୍ଲା ଟାଉନ ହଲରେ ଅନୁଷ୍ଠିତ ହେବ । ଶେଷ ଦିନ ୮ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁରେଶ୍ଵରୀ ମନ୍ଦିରରୁ ସୋନପୁର କଲେଜ ପଡିଆ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା ଆୟୋଜନ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ମହିଳା ଖେଳାଳି ଏବଂ ଗୃହିଣୀମାନଙ୍କୁ ମୁଖ୍ୟତଃ ସମ୍ମିଳିତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ସୂଚନା ଦେଇଥିଲେ । ଏହି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ସମ୍ପର୍କିତ ସୂଚନା ଜନସାଧାରଣଙ୍କ ଓ ମହିଳା ମାନଙ୍କ ନିକଟରେ ପହଞ୍ଚାଇବା ସହିତ ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ ମାନଙ୍କରେ ପ୍ରକାଶନ ଓ ପ୍ରସାରଣ କରିବା ପାଇଁ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.