ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ସଚେତନତା କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସହୀଦ ସ୍ମୃତି ଭବନରେ ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏକ ଯୋଗ ଶିବିର ସହ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯୋଗ ଶିବିରରେ ଜିଲ୍ଲା ପତଞ୍ଜଳୀ ଯୋଗ ପ୍ରହରୀ ବ୍ରହ୍ମାନନ୍ଦ ନାୟକ ଯୋଗଦେଇ ବିଭିନ୍ନ ଯୋଗ ପ୍ରଣାଳୀ ଓ ଉପକରଣ ବିଷୟରେ ଶିକ୍ଷା ଦେଇଥିଲେ । ସେହିପରି ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଭେଷଜ, ଶଲ୍ୟ, ଅସ୍ଥିଶଲ୍ୟ, ଚକ୍ଷୁ, ଚର୍ମ, କର୍ଣ୍ଣ, ନାସା ଓ ଗୋଳା ଏବଂ ଦନ୍ତ ବିଶେଷଜ୍ଞ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ. ବିଜୟ କୁମାର ଦାଶ ଯୋଗଦେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡ଼ା ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସମ୍ମାନ ବୃଦ୍ଧି ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଭାରେ ମୟୂରଭଞ୍ଜ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଶ୍ୟାମ ସୁନ୍ଦର ଦାଶ ଯୋଗଦେଇ ବରିଷ୍ଠ ନାଗରିକଙ୍କ ନିମନ୍ତେ ଥିବା ଯୋଜନା ଗୁଡିକର ସହଜ ଉପଲବ୍ଧତା ତଥା ବ୍ୟାଙ୍କ, ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ପୃଥକ ଧାଡ଼ି ଓ ବସଷ୍ଟାଣ୍ଡରେ ବସିବା ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖିଥିଲେ । ସଭା ଶେଷରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ପୋଲିସ କର୍ମଚାରୀ ଭକ୍ତ ବେହେରା ବରିଷ୍ଠ ନାଗରିକଙ୍କୁ ସାଇବର ଠକେଇ ସମ୍ପର୍କରେ ସଚେତନ କରିଥିଲେ । ଏଲଡିଏମ୍ ମୟୂରଭଞ୍ଜ ବ୍ୟାଙ୍କ ଓ ବୀମା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଡିଇଜିଜମ୍ ସେବତୀ କର ଆଧାର ଏବଂ ବୟୋ ବନ୍ଦନା ଯୋଜନା ସମ୍ପର୍କରେ ସଚେତନ କରାଇବା ସହ ସଭା ଗୃହରେ ଉପସ୍ଥିତ ଥିବା ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ତତକ୍ଷଣାତ୍ ବୟ ବନ୍ଦନା କାର୍ଡ କରିଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ୍ ସୋରେନଙ୍କ ସଭାପତିତ୍ୱରେ ପରିଚାଳିତ ଉକ୍ତ ସଭାକୁ ପ୍ରୟାସ ଶତପଥୀ ପରିଚାଳନା କରିଥିବା ବେଳେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ମନୋବିକାଶ ତଥା ଅନ୍ଧ, ମୂକ ଓ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ ଲକ୍ଷ୍ମୀପୋଷିର କର୍ମଚାରୀଗଣ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।

Leave A Reply

Your email address will not be published.