ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର, (ପିଆଇବି) : ରେଡକ୍ରସ କଟକ ସହାୟତାରେ ତଥା ଦୂରସଞ୍ଚାର ମହିଳା କଲ୍ୟାଣ ସଂଗଠନ (ଟିଡବ୍ଲୁଡବ୍ଲୁଓ) ର ମିଳିତ ଆନୁକୂଲ୍ୟରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଓଡ଼ିଶା ପରିମଣ୍ଡଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆଜି ଭୁବନେଶ୍ୱର ଅଶୋକ ନଗରସ୍ଥିତ ବିଏସଏନଏଲ ଭବନଠାରେ ଆୟୋଜିତ ହୋଇଯାଇଛି । ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଦୁଷ୍ମନ୍ତ କୁମାର ବେହେରା ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ (ଟିଡବ୍ଲୁଡବ୍ଲୁଓ) ଓଡ଼ିଶାର ସଭାପତି ଶ୍ରୀମତୀ ମମତା ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ବେହେରା ସମସ୍ତଙ୍କୁ ଏହି ମହାନ ଉଦ୍ଦେଶ୍ୟ ପାଇଁ ରକ୍ତଦାନ କରିବାକୁ ଆହ୍ୱାନ କରିଥିଲେ ଯାହାଦ୍ୱାରା ମୂଲ୍ୟବାନ ମାନବ ଜୀବନ ରକ୍ଷା ହୋଇପାରିବ । ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଭାଗ ନେଇଥିଲେ । କଟକ ରେଡକ୍ରସ୍ ରକ୍ତଭଣ୍ଡାର ଦ୍ୱାରା ସଫଳତାର ସହିତ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ପଦକ୍ଷେପ ସମାଜ ସେବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପ୍ରତି ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀ ଗଜେନ୍ଦ୍ର କୁମାର ଯାଦବ, ଟିଡବ୍ଲୁଡବ୍ଲୁଓ ସଚିବ ଗାୟତ୍ରୀ ମଲ୍ଲିକ ଏବଂ ଟିଡବ୍ଲୁଡବ୍ଲୁଓର ସକ୍ରିୟ ଅଂଶଗ୍ରହଣକାରୀ ଲିଲି ଜେନାମଣିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.