ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ମୃତିର ଓଡିଶା ଚାରିଟେବଲ ଟ୍ରଷ୍ଟ ତରଫରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧିନସ୍ଥ ମାଟିଖାଲ ଗ୍ରାମପଞ୍ଚାୟତର ମାଟିଖାଲ ଠାରେ ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ବିଷୟରେ ଏକ ସଚେତନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ମୃତିର ଓଡିଶା ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ଣ୍ଣେନ୍ଦୁ କୁମାର ମିଶ୍ର, ସାଧାରଣ ସମ୍ପାଦକ ରଜନୀ କାନ୍ତ ମିଶ୍ର, ବରିଷ୍ଠ ଉପ-ସଭାପତି ଶ୍ରୀମତୀ ଦେବସ୍ମିତା ମିଶ୍ର ଏବଂ ଉପ-ସଭାପତି ଶ୍ରୀମତୀ ନୀଳାଦ୍ରି ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତି ଓ ତତ୍ତ୍ୱାବଧାନରେ ୧୦୦ ରୁ ଅଧିକ ଗ୍ରାମୀଣ ମାଆ ଓ ଭଉଣୀମାନଙ୍କୁ ନେଇ ଉକ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କର ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ଉପରେ ଦାୟିତ୍ଵବାନ୍ ଓ ଯତ୍ନଶୀଳ ହେବା ବିଷୟରେ ବିସ୍ତୃତ ବିବରଣୀ ଦେଇ ବୁଝାଇ ମହିଳାମାନଙ୍କୁ ସଚେତନ ଦିଆଯାଇଥିଲା । ଏଥିରେ ଟ୍ରଷ୍ଟ୍ରର ବରିଷ୍ଠ ଉପ-ସଭାପତି ଶ୍ରୀମତୀ ଦେବସ୍ମିତା ମିଶ୍ର ସାନିଟାରୀ ନ୍ୟାପକିନର ଆବଶ୍ୟକତା ଏବଂ ବ୍ୟବହାର ବିଷୟରେ ମହିଳାଗୋଷ୍ଠୀଙ୍କୁ ବୁଝାଇ ଶିବିରରେ ଉପସ୍ଥିତ ସମସ୍ତ ମାଆ ଭଉଣୀ ଏବଂ କିଶୋରୀ ଝିଅମାନଙ୍କ ମଧ୍ୟରେ ନ୍ୟାପକିନ୍ ବିତରଣ କରିଥିଲେ । ଏତଦ୍ ବ୍ୟତୀତ କିଛି ପାନୀୟ ଖାଦ୍ୟ ସହ ଶିବିରର ସମାପନ ହୋଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଏ.ଏନ୍.ଏମ୍. ଦିଦି ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସେଠୀ ଏବଂ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ମିନି ନାୟକ ସଂଗଠନର ଉପସଭାପତି ଶ୍ରୀମତୀ ନୀଳାଦ୍ରି ପ୍ରଧାନଙ୍କ ଆମନ୍ତ୍ରଣରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହାୟକ ହୋଇଥିଲେ । ଏତଦ୍ ବ୍ୟତତ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣସହଯୋଗ କରିଥିଲେ ।