ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୧୦୪ ଟି ଅଭିଯୋଗର ଶୁଣାଣୀ : ୧୫ ଟିର ତତକ୍ଷଣାତ୍ ସମାଧାନ

  • ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ବାଣ୍ଟିଲେ ନୂତନ ପଟ୍ଟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ନଗରିସ୍ଥ ବିରଞ୍ଚି ନାରାୟଣ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୪ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୭୧ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୨୪ଟି ସାମୂହିକ ଅଭିଯୋଗ ରହିଥିଲା । ସେହିପରି ୧୫ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ କରାଯାଇଥିଲା । ରେଡକ୍ରସ ପାଣ୍ଠିରୁ ୯ ଜଣଙ୍କୁ ସହାୟତା ରାଶି ବାବଦରେ ୫୫,୦୦୦ ଟଙ୍କା ଏବଂ ୫ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ନୂତନ ପଟ୍ଟା ବଣ୍ଟନ କରିଥିଲେ । ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ, ପିଏମ ଆବାସ ଯୋଜନା ଏବଂ ଅନ୍ତୋର୍ଦୟ ଗୃହ ଯୋଜନାରେ ଗୃହ ବଣ୍ଟନ, ରାସନ କାର୍ଡ, ଜମିଜମା ସଂପର୍କିତ ସମେତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା । ଶିବିରରେ ଅତିରିକ୍ତ ଜ଼ିଲ୍ଲାପାଳ ସୁନୀଲ କୁମାର କେର୍କେଟା, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଭଞ୍ଜନଗର ରଞ୍ଜନ କୁମାର ଦେ, ବୁଗୁଡା ବିଡିଓ ଦ୍ୱିତି କୃଷ୍ଣ ପାତ୍ର, ଏବିଡିଓ ଧର୍ମରାଜ ପରିଡାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । ବୁଗୁଡା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ । ଅଭିଯୋଗ ଶୁଣାଣି ଶିବିର ଶେଷ ହେଲାପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜ଼ିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହିତ ବୁଗୁଡ଼ାର ବିଭିନ୍ନ ପୁରାତନ ଐତିହ୍ୟ ସ୍ଥଳକୁ ଯାଇ ସେଗୁଡିକର ଉନ୍ନତିକରଣ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ ।

Leave A Reply

Your email address will not be published.