ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ଚେନ୍ନାଇରୁ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛି । ଏହି ଅବସରରେ ଆଜି ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ପ୍ରତିନିଧି ଦଳର ସଦସ୍ୟମାନେ ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା ଓ ମତବିନିମୟ କରିଥିଲେ ।

ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ମିଶ୍ର ସେମାନଙ୍କୁ ଓଡ଼ିଶାରେ ଗଣମାଧ୍ୟମର ସ୍ଥିତି ଏବଂ ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ କରାଯାଉଥିବା ବିଭିନ୍ନ କ୍ଷେତ୍ରୀୟ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା,ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗସ୍ତ କାଳୀନ ପ୍ରତିନିଧି ଦଳ କଳିଙ୍ଗନଗର, କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟପାଳନ ସଂସ୍ଥାନ(ସିଫା), ପାରାଦୀପ ବନ୍ଦର ଏବଂ ମାରିଟାଇମ୍ ମ୍ୟୁଜିୟମ୍ ପରିଦର୍ଶନ କରି ଓଡ଼ିଶାର ଶିଳ୍ପ ଉନ୍ନତି, ବୈଜ୍ଞାନିକ ଗବେଷଣା, ବନ୍ଦର ଏବଂ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଧାରଣା ନେଇଥିଲେ ।

ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳର ଏହି ଗସ୍ତ ଓଡ଼ିଶାର ବିଭିନ୍ନ ଉନ୍ନୟନମୂଳକ କ୍ଷେତ୍ର, ପ୍ରତିଷ୍ଠାନ ଏବଂ କେନ୍ଦ୍ର ସରକାରୀ ପ୍ରକଳ୍ପଗୁଡ଼ିକୁ ନିକଟରୁ ଅବଲୋକନ କରିବାରେ ସହାୟକ ହେବ ।

Leave A Reply

Your email address will not be published.