ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚିକିଟି ନିର୍ବାଚନ ମଣ୍ଡଳୀର ହୃତ ଗୌରବକୁ ଫେରେଇ ଆଣିବା ଉଦ୍ଦେଶ୍ୟରେ ଚଳିତବର୍ଷ ଫେବୃଆରୀ ୦୩ ତାରିଖ ରୁ ୫ ତାରିଖ ଯାଏଁ ବର୍ଣ୍ଣାଢ଼୍ୟ ଉତ୍ସବରେ ସୁନାପୁର ବେଳାଭୂମି ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶନିବାର ସୁନାପୁର ଇକୋ-ରିଟ୍ରିଟ ପରିସରରେ ଚିକିଟି ବିଧାୟକ ମନୋରଞ୍ଜନ ସାମନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଦ୍ୱିତୀୟ ଦିବସ ସନ୍ଧ୍ୟାରେ ସୁଜ୍ଞାନୀ, ଶୈଳେନ୍ଦ୍ର-ସୋହାନୀ ଓ ମହମ୍ମଦ ଅଲ୍ଲି ଏବଂ ତୃତୀୟ ଦିବସରେ ଅରୁଣିତା କାଞ୍ଜିଲାଲ୍ ପ୍ରମୁଖ କଳାକାର ଗୋଷ୍ଠୀଙ୍କ ପରିବେଷିତ ମେଗା ମଞ୍ଚର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଏହା ଉଦଘାଟିତ ହେବ ଏବଂ ଉଦଯାପନୀ ସନ୍ଧ୍ୟାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଯୋଗଦାନ ହେବା ସହ ଆଞ୍ଚଳିକ କଳାକାର ଗୋଷ୍ଠୀଙ୍କୁ ଉତ୍ସାହିତ କରାଯିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ବିଧାୟକ ଦ୍ୟାନସାମନ୍ତ ରାୟ ସୁନାପୁର ବେଳାଭୂମି ମହୋତ୍ସବ ସମ୍ପର୍କିତ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଚିକିଟିସ୍ଥିତ ମା’ ବାଳକୁମାରୀ ଓ ମା’ ବଗଳାମୁଖୀ ମନ୍ଦିର, ଜୟନ୍ତୀପୁର ସ୍ଥିତ ମା’ ପଶ୍ଚିମେଶ୍ୱରୀ ମନ୍ଦିର, ପାତ୍ରପୁର ସ୍ଥିତ ମା’ କୁଠାରୀଶ୍ୱରୀ, ସୁନାପୁର ସ୍ଥିତ ମା’ ଫୁଲକାଶୁଣୀ ଗ୍ରାମ ଦେବତୀଙ୍କ ଠାରୁ ଆଶୀର୍ବାଦ ଲାଭ କରି ଆଜ୍ଞା ମାଳ ଅଣାଯିବ ଏବଂ ପଣ୍ଡିତ, ସାଧୁସନ୍ଥଙ୍କ ଦ୍ୱାରା ସମୁଦ୍ର ଆଳତୀ ବନ୍ଦାପନା ସହ ସୁନାପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଯିବ ବୋଲି କୁହାଯାଇଛି । ପ୍ରଥମ ଦିବସରେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଓ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି / ଅତିଥିଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଦିବସରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଓ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି / ଅତିଥିଗଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଦଯାପନୀ ଦିବସରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବ୍ରହ୍ମପୁର ବିଧାୟକ କେ. ଅନୀଲ୍ କୁମାର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରମ୍ ବିଧାୟକ ବି. ଅଶୋକ, ପ୍ରମୁଖ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବରେ ଲୋକମାନଙ୍କର ଭରପୁର ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ମହୋତ୍ସବର ପ୍ରଥମ ଦିନରେ ଓଡିଶାର ସୁପରିଚିତ ଗାୟିକା ଅସୀମା ପଣ୍ଡା, ଦ୍ୱିତୀୟ ଦିବସରେ ଗାୟିକା ସୁଜ୍ଞାନୀ ମହାପାତ୍ର, ଓଲିଉଡର ଡ୍ୟାନ୍ସର ଶୈଳେନ୍ଦ୍ର-ସୋହାନୀ ଓ ଟଲିଉଡର ହାସ୍ୟ ଅଭିନେତା ମହମ୍ମଦ ଅଲ୍ଲି ଏବଂ ତୃତୀୟ ଦିବସରେ ଇଣ୍ଡିଆନ୍ ଆଇଡଲ୍ ଜରିଆରେ ନା କମେଇଥିବା ଅରୁଣିତା କାଞ୍ଜିଲାଲ୍ ଯୋଗଦେବେ । ଏହା ସହିତ ଫେବୃୟାରୀ ୩ ତାରିଖ ସକାଳ ୮ଘଟିକା ସମୟରେ ଏକ ମାରାଥନ୍ ଆୟୋଜନ ହେବ । ଏହି ମାରାଥନ୍ ସୁରଳ ଛକରୁ ଆରମ୍ଭ ହୋଇ ଜଗପୁରରେ ଶେଷ ହେବ ବୋଲି ଚିକିଟି ବିଧାୟକ ଶ୍ରୀ ଦ୍ୱାନ ସାମନ୍ତରାୟ ସୂଚନା ଦେଇଛନ୍ତି । ଗୋପାଳପୁର ବେଳାଭୂମି ମହୋତ୍ସବ ଗଣମାଧ୍ୟମରେ ବନ୍ଧୁ ମାନଙ୍କର ବ୍ୟାପକ ପ୍ରଚାର ପ୍ରସାର ହେତୁ ସଫଳ ହୋଇଛି । ଠିକ୍ ସେହିପରି ସୁନାପୁର ବେଳାଭୂମି ମହୋତ୍ସବକୁ ମଧ୍ୟ ସମସ୍ତ ସହଯୋଗ ଆପଣମାନେ ଯୋଗାଇବେ ବୋଲି ଜିଲ୍ଲାପାଳ ୱିକୀର୍ତ୍ତି ୱାସନ୍ ଆଶା ପ୍ରକଟ କରିଛନ୍ତି । ନୈସର୍ଗୀକ ପ୍ରାକୃତିକ ସୌନ୍ଦର୍ଯ୍ୟ ତାହା ସହିତ ପରିସ୍କାର ପରିଚ୍ଛନ୍ନତା ପାଇଁ ପରିଚିତ ସୁନାପୁର ବେଳାଭୂମିରେ ବହୁ ଆଡମ୍ବରରେ ଏହି ମହୋତ୍ସବ ଆୟୋଜିତ ହେବବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ପ୍ରତିନିଧି ମିନା ଦ୍ୟାନ ସାମନ୍ତ ରାୟ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ସ୍ଥାନୀୟ ସମିତି ସଭ୍ୟ ଅମୂଲ୍ୟ ବେହେରା, ଚିକିଟି ଓ ପାତ୍ରପୁର ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଆୟୋଜକମାନେ ଉପସ୍ଥିତ ଥିଲେ ।