ବ୍ରଜ ମୋହନ ସାହିତ୍ୟ ସମିତିର ପୁନରୁତ୍ଥାନ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଗଡ଼ଜାତର ଐତିହ୍ୟ ସମ୍ପନ୍ନ ବ୍ରଜ ମୋହନ ସାହିତ୍ୟ ସମିତିର ପୁନରୁତ୍ଥାନ କରାଯିବ । ରବିବାର କଳାହାଣ୍ଡି ରାଜ ପ୍ରାସାଦରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଂଶ ଶତାବ୍ଦୀର ୪୦ ଦଶକରେ ୩୦ ତମ ନାଗବଂଶୀ ଶାସକ ମହାରାଜା ବ୍ରଜ ମୋହନ ଦେଓଙ୍କ ସ୍ମୃତିରେ ତାଙ୍କ ପୁତ୍ର ମହାରାଜା ପ୍ରତାପ କେଶରୀ ଦେଓଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରଜ ମୋହନ ସାହିତ୍ୟ ସମିତି ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାର ଏକ ଗୌରବମୟ ସାହିତ୍ୟ ଅନୁଷ୍ଠାନ ଥିଲା । ଓଡ଼ିଶାର ବହୁ ବିଦ୍ୱାନ, କବି, ଲେଖକ, ତର୍କଶାସ୍ତ୍ର, ସଂସ୍କୃତ ପଣ୍ଡିତମାନେ ବ୍ରଜ ମୋହନ ସାହିତ୍ୟ ସମିତିରେ ଯୋଗ ଦେଉଥିଲେ । ସାହିତ୍ୟ ସଭା, ବ୍ୟକ୍ତବ୍ୟ, ତର୍କ, ପଦ୍ୟାନ୍ତ, ବେଦ, ବେଦାନ୍ତ ସଂପର୍କରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେଉଥିଲା । ବ୍ରଜ ମୋହନ ସାହିତ୍ୟ ସମିତି ଦ୍ୱାରା ଖଡ଼ିଆଳ ମହାରାଜା ଅନୁପ ସିଂହ ଦେଓଙ୍କୁ କବି ସୌରଭ ସମ୍ମାନ ଓ ବିଶିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ ପ୍ରଫୁଲ୍ଲ ରଥଙ୍କୁ ନାଟ୍ୟରଶ୍ମି ସମ୍ମାନ ପ୍ରଦାନ କରାଯାଇଥିଲା । ଓଡ଼ିଶାର ବହୁ ଗଡଜାତର ଦରବାରୀ କବି ଓ ଦରବାରୀ ପଣ୍ଡିତମାନେ ବ୍ରଜ ମୋହନ ସାହିତ୍ୟ ସମିତିରେ ଅଂଶ ଗ୍ରହଣ କରିଥିଲେ । ବିଂଶ ଶତାବ୍ଦୀର ୭୦ ଦଶକ ଯାଏଁ ଏହି ସମିତି ଓଡ଼ିଶାର ସାହିତ୍ୟ କ୍ଷେତ୍ରର ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ସୁଖ୍ୟାତି ଅର୍ଜନ କରିଥିଲା । ଏହିଭଳି ଏକ ଐତିହ୍ୟ ସମ୍ପନ୍ନ ଅନୁଷ୍ଠାନକୁ ପୁନରୁତ୍ଥାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ ସାହିତ୍ୟ ନୁହେଁ କଳାହାଣ୍ଡିର କଳା, ସଂସ୍କୃତି ସମେତ ଆଧୁନିକ ଯୁଗର ବିଭିନ୍ନ ବିଷୟ ଉପରେ ଏହି ସଂସ୍ଥା ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, ସାହିତ୍ୟିକ, ମହିଳା, ଯୁବକ ଓ ଛାତ୍ରମାନଙ୍କୁ ନେଇ କାର୍ଯ୍ୟକରିବ ବୋଲି ବୈଠକରେ ସ୍ଥିର କରାଯାଇଛି । ପ୍ରତି ମାସରେ ଗୋଟିଏ ବ୍ରଜ ମୋହନ ଦେଓ ବକ୍ତୃତାମାଳା ଆୟୋଜନ କରାଯିବ ଓ ପ୍ରତିବର୍ଷ ବାର୍ଷିକ ଉତ୍ସବ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଚଳିତ ଫେବୃଆରୀ ମାସ ୧୯ ତାରିଖ ଅପରାହ୍ନ ଚାରିଟାରେ ବ୍ରଜ ମୋହନ ସାହିତ୍ୟ ସମିତି ପକ୍ଷରୁ ସଭା ମଣ୍ଡପରେ ପ୍ରଥମ ମାସିକ ବକ୍ତୃତାମାଳା ” ଆଧୁନିକ କଳାହାଣ୍ଡିର ନିର୍ମାତା ବ୍ରଜ ମୋହନ ଦେଓ” ଶୀର୍ଷକ ବକ୍ତୃତା ମାଳା ଅନୁଷ୍ଠିତ ହେବ ଓ ଏଥିରେ ଲେଖକ ତଥା ଗବେଷକ ଉମା ଶଙ୍କର କର ବକ୍ତବ୍ୟ ପ୍ରଦାନ କରିବେ । ବୈଠକରେ ଭାରତ ଭୂଷଣ ଦେଓ, ନାଟ୍ୟକାର ଡ ଉମେଶ ଶତପଥୀ, ଗବେଷକ ଉମା ଶଙ୍କର କର, ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର, ଜୟନ୍ତ ବେହେରା, ଡ ଅଜୟ ମିଶ୍ର, ଶିଳ୍ପୀ ତରୁଣ ମହାପାତ୍ର, ଅଶୋକ ନେଗି, ସରୋଜ ନନ୍ଦ, ଉମା ଶଙ୍କର ବାବୁ, ସୁମନ ରଥ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.