ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ୨୧ ତମ ବାର୍ଷିକ ଉତ୍ସବ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁ ସଭାପତିତ୍ୱ, ସାଧାରଣ ସମ୍ପାଦକ ମଧୁସୂଦନ ବଳଙ୍କ ଆବାହକତ୍ୱ ତଥା ସହ ସମ୍ପାଦକ ଉଦୟ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ଶତପଥୀ, ଗୋଲକ ଚନ୍ଦ୍ର ମଲ୍ଲିକ, ଧୃବଚରଣ ଲେଙ୍କା, ବନମାଳୀ କର ପ୍ରମୁଖ ଶିକ୍ଷକ ମାନେ ମଞ୍ଚାସୀନ ଥିଲେ । ଏହି ଅବସରରେ ଗୋଲକ ଚନ୍ଦ୍ର ମଲ୍ଲିକଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟ ଶିକ୍ଷକ ଉମାକାନ୍ତ ନାୟକ, ସୁରେଶ ଚନ୍ଦ୍ର ଭୋଇ, କାର୍ଲସ ସୋରେଙ୍ଗ, ଜଗବନ୍ଧୁ ପାଣି, ଶାନ୍ତିଲତା ଦେଇ, ନାରାୟଣ ଚନ୍ଦ୍ର ପଣ୍ଡା, କେ ଏମ୍ ପାତ୍ର, କେ କେ ମିଶ୍ର, ସୁପ୍ରକାଶ ତ୍ରିପାଠୀ, ଡି ବି ପାତ୍ର, ରଜତ କୁମାର ପତି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଶିକ୍ଷକମାନେ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ପରସ୍ପର ମଧ୍ୟରେ ଭାବ ବିନିମୟ ସହ ଏଭଳି ବାର୍ଷିକ ଉତ୍ସବ ପାଳନର ଆବଶ୍ୟକତା ଉପରେ ମତ ରଖିଥିଲେ । ମଞ୍ଚାସୀନ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଅବସର ପରେ ନିଜର ସମୟକୁ ସଠିକ ଉପଯୋଗ କଲେ କେହି ନିରୁତ୍ସାହିତ ହେବେ ନାହିଁ । ଶିକ୍ଷା ଦାନ ସହ ଶିକ୍ଷା ବଣ୍ଟନ, ପରସ୍ପର ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖି ପରସ୍ପର ସୁଖ ଦୁଃଖରେ ଭାଗୀଦାର ହେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସଭାପତିତ୍ୱ ଅଭିଭାଷଣ ସହ ସ୍ୱାଗତ ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ବଳ ବାର୍ଷିକ ବିବରଣୀ ସହ ଅନୁଷ୍ଠାନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସହ ସମ୍ପାଦକ ଶ୍ରୀ ସାହୁ ଅତିଥି ମାନଙ୍କ ପରିଚୟ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.