ରାଉରକେଲା, (ସସ୍ମିତା ପ୍ରଧାନ) : ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ତ୍ରିରଙ୍ଗା ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାହିତ୍ୟ, ସେବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଉତ୍କର୍ଷତା ପାଇଁ କୈବଲ୍ୟ ସାହିତ୍ୟ ସଂସଦକୁ ସମ୍ବର୍ଦ୍ଧିତ କରିଛନ୍ତି । କଟକ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ କଟକ ବାରବାଟୀ ଷ୍ଟାଡିୟମ୍ରେ ଆୟୋଜିତ ସମାରୋହରେ ଏହି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ଓଡ଼ିଶାର ପ୍ରଥମ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦକୁ ଜାତୀୟ ଦିବସରେ ଏହି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଏହି ସମ୍ୱର୍ଦ୍ଧନା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ସାହିତ୍ୟିକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବୁଦ୍ଧିଜୀବୀମାନେ କୈବଲ୍ୟ ଅନୁଷ୍ଠାନ ଉପରେ ଜଗନ୍ନାଥଙ୍କ ଅପାର କରୁଣା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ଏହି ସଫଳତାର ଶ୍ରେୟ ଓଡ଼ିଶାର ପ୍ରତ୍ୟେକ ଲୋକ ସାହିତ୍ୟିକମାନଙ୍କର ବୋଲି ସ୍ପଷ୍ଟ କରିଛନ୍ତି । ପୁନଶ୍ଚ ଓଡ଼ିଆ ଅସ୍ମିତାର ସଠିକ ମୂଲ୍ୟାୟନ ହୋଇଛି ବୋଲି ପରିପ୍ରକାଶ କରିଛନ୍ତି । ପ୍ରତ୍ୟେକ ସାହିତ୍ୟିକ ଏହି ଆନୁଷ୍ଠାନିକ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିବା ଉଚିତ୍ ବୋଲି ସ୍ପଷ୍ଟ ମତପୋଷଣ କରିଛନ୍ତି । ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଉପଦେଷ୍ଟା ମାନଙ୍କ ସଠିକ୍ ମାର୍ଗଦର୍ଶନ ପାଇଁ ଏହା ସମ୍ଭବ ହୋଇପାରିଛି ତେଣୁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି ନିଜ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି । କୈବଲ୍ୟ ସାହିତ୍ୟ ସଂସଦ ଭାଷା ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତି କ୍ଷେତ୍ରରେ ଅଧିକ ଗବେଷଣାତ୍ମକ କାର୍ଯ୍ୟ କରିପାରିବ ବୋଲି କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ସାଗର କୁମାର ସାମନ୍ତରାୟ, ସମୀର କୁମାର ସାମନ୍ତରାୟ, ସୋଫିଆ ସାମନ୍ତରାୟ ଏବଂ ନିବେଦିତା ବିଶ୍ଵାଳ ଉପସ୍ଥିତ ଥିଲେ । ଉପଦେଷ୍ଟା ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡଃ. ଦିପାୟାନ ପଟ୍ଟନାୟକ, ଲାଲାଟେନ୍ଦୁ ବଡୁ, ବିଧାୟକ ଛବି ମଲ୍ଲିକ, ବିଧାୟକ ସୋଭିକ ବିଶ୍ଵାଳ, ବିଧାୟିକା ସୋଫିଆ ଫିର୍ଦୋଷ, ବରିଷ୍ଠ ନେତ୍ରୀ ସ୍ମୃତି ପଟ୍ଟନାୟକ, ଅଭିନେତା ଏବଂ ବରିଷ୍ଠ ନେତା ଶ୍ରୀତମ ଦାସ ଏବଂ ଅକ୍ଷୟ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।