ମଧୁସୂଦନ ଶିକ୍ଷା ନିବାସରେ ଦିବ୍ୟ ଭବ୍ୟ ଅଦ୍ୱିତୀୟ “ମାତୃ-ପିତୃ ପୂଜନ ଦିବସ” ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : “ପ୍ରେମ ସଦା ସର୍ବଦା ପ୍ରାଣବନ୍ତ ଚିରନ୍ତନ ବାସ୍ତବ ଗଭୀର ଅନନ୍ତ ଓ ଅନନ୍ୟ”; ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ଆଜି ବାଳିକା ଦିବସରେ ବିଦ୍ୟାଳୟ ପ୍ରାଙ୍ଗଣରେ ପରମ ପୂଜ୍ୟ ସନ୍ଥ ଶିରୋମଣି ଆଶାରାମ ବାପୁଜୀଙ୍କ ଦିବ୍ୟ ପ୍ରେରଣାରୁ “ମାତୃ-ପିତୃ ପୂଜନ” କରିବା ଉଦ୍ଦେଶ୍ୟ ନେଇ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ଦ୍ୱାରା ଏକ ଅଭିନବ ପ୍ରୟାସ ବିଗତ ଚଉଦ ବର୍ଷ ହେଲା ହୋଇଆସୁଅଛି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ର ଉଚ୍ଚାରଣ ସହ ଧ୍ୟାନ କରାଯାଇଥିଲା । ବନ୍ଦ ଆଖିରେ ଧ୍ୟାନ ମାଧ୍ୟମରେ ସମସ୍ତଙ୍କୁ ନିଜର ଜନ୍ମ ପୂର୍ବରୁ ମାତୃ ଗର୍ଭରେ ମାଆର ଯନ୍ତ୍ରଣା ଠୁଁ ଆରମ୍ଭ କରି ବାଲ୍ୟକାଳରେ ମାତାପିତା ସନ୍ତାନର କେଉଁ ଭଳି ଯତ୍ନ ନିଅନ୍ତି, କିଶୋର ତଥା ଯୌବନ ବେଳେ ସନ୍ତାନର ଜିଦିକୁ ମାତାପିତା କିଭଳି ସହ୍ୟ କରି ସନ୍ତାନର ଉନ୍ନତି ପାଇଁ ହିଁ ନିଜକୁ ଉତ୍ସର୍ଗ କରି ପରିଶେଷରେ ସନ୍ତାନ ପାଇଁ କେବେ ଅଲୋଡ଼ା ହୋଇଯିବା ଇତ୍ୟାଦି ଚିତ୍ରକୁ ଜୀବନ୍ତ ରୂପେ ମନେପକାଇ ଦିଆଯାଇଥିଲା । ଏହିପରି ନିରବ ଓ ଶାନ୍ତ ବାତାବରଣରେ ଧ୍ୟାନ ଦ୍ୱାରା ହିଁ ସମସ୍ତେ ନିଜ ନିଜ ମାତାପିତାଙ୍କ ମୂଳକୁ ଅନୁଭବ କରି ସତେ ଯେମିତି ଆଜି ଚଳନ୍ତି ଠାକୁରଙ୍କୁ ପାଇ ଓ ତାଙ୍କରି ପୂଜନ କରି ନିଜକୁ ଧନ୍ୟ କରିବା ପାଇଁ ବ୍ୟଗ୍ର ହୋଇ ଯାଉଥିଲେ । ସନ୍ତାନମାନେ ନିଜ ନିଜର ମାଆ-ବାପାଙ୍କୁ ଚନ୍ଦନ ଲଗାଇ, ଫୁଲ ମାଳ ପିନ୍ଧାଇ ଓ ପ୍ରସାଦ ଖୁଆଇ ଏକ ନିଆରା ଢଙ୍ଗରେ ପ୍ରେମ ଦିବସ ପାଳନ କଲେ । ତତ୍ ପରେ, ନିଜ ମାତାପିତାଙ୍କୁ କୋଳାଗ୍ରତ କରି ସନ୍ତାନମାନେ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରେ ସମ୍ପୂର୍ଣ୍ଣ ପରିବେଶ ଭାବବିହ୍ଵଳମୟ ଓ ଲୋତକପୂର୍ଣ୍ଣ ଥିଲା । ମାତା-ପିତା ମାନେ ହୃଦୟରୁ ଗଦଗଦ ହୋଇ ନିଜ ସନ୍ତାନମାନଙ୍କୁ କୋଳେଇ ନେଇ ତାପରେ ମୁଣ୍ଡରେ ହାତ ରଖି ଆନ୍ତରିକ ଆଶୀର୍ବାଦ ଦେଇଥିଲେ । ଏହିପରି ନିଆରା ଓ ଅଭିନବ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଆଜିର କଳୁଷିତ ଜୀବନକୁ ସୁସଂସ୍କୃତ କରି ଏକ ନବ ଚେତନାର ମାର୍ଗ ପ୍ରଦାନ କରିବ ବୋଲି ପ୍ରତ୍ୟେକ ଉପସ୍ଥିତ ବ୍ୟକ୍ତି ମତପୋଷଣ କରିଥିଲେ । ଆଜିର ଭୌତିକ ସର୍ବସ୍ୱ ଦୁନିଆଁରେ ବୃଦ୍ଧ ତଥା ବୟସ୍କା ମାନଙ୍କୁ ଆଉ ବୃଦ୍ଧଆଶ୍ରମର ଦ୍ୱାର ଦେଖିବା ପାଇଁ ପଡ଼ିବ ନାହିଁ; ଯଦି ପ୍ରତ୍ୟେକ ସନ୍ତାନ ଏହିପରି ପୂଜନ କାର୍ଯ୍ୟକ୍ରମର ଅନନ୍ୟ ଅନୁଭୂତି ନିଜର କରିବେ ବୋଲି ସମସ୍ତେ ଆଲୋଚନା କରିଥିଲେ । ଯୁବକ ମାନଙ୍କ ଭିତରେ ମାତୃ-ପିତୃ ପୂଜନ ମାଧ୍ୟମରେ ହିଁ ପରିପକ୍ୱ ଆଦର୍ଶ ଭାବନାର ପ୍ରତିରୋପଣ କରାଯାଇ ପାରିବ; ଯଦ୍ୱାରା, ଆଦର୍ଶ ରାମ-ରାଜ୍ୟର ପୁନର୍ଗଠନ ସମ୍ଭବ ହୋଇପାରିବ । ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲାର ଉପସଭାପତି ତଥା ବାଳ ସଂସ୍କାର ପ୍ରଭାରୀ ସମୀର ପଟ୍ଟନାୟକଙ୍କ ତତ୍ୱାବଧାନରେ ସମ୍ପନ୍ନ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଶେଷରେ ଆଜିର ଦିନରେ ମାତାପିତାଙ୍କ ମହାନତାକୁ ଆଧ୍ୟାତ୍ମିକ, ବ୍ୟବହାରିକ ତଥା ଧାର୍ମିକ ଦୃଷ୍ଟିରେ ଆଲୋକପାତ କରାଯାଇଥିଲା । ଏହା ସହିତ, ପ୍ରତେକ ୧୪ ଫେବ୍ରୁଆରୀ ଦିନକୁ ହିଁ “ମାତୃ-ପିତୃ ପୂଜନ ଦିବସ” ରୂପେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ପାଳନ କରିବାର ସନ୍ଥ ଆଶାରାମଜୀ ବାପୁଙ୍କ ମହାନ ଉଦ୍ଦେଶ୍ୟକୁ ଆଲୋକପାତ କରାଯାଇଥିଲା । ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରେ ନିଜ ମାତା-ପିତାଙ୍କ ସହିତ ହିଁ ପ୍ରେମ ଦିବସ ପାଳନ ଅଭିଯାନ ଆଜି ବିଶ୍ୱ ବ୍ୟାପୀ ହୋଇଯାଇଛି ବୋଲି ସର୍ବ ସାଧାରଣରେ ସ୍ୱୀକାର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରୀତି ବିଶ୍ଵକର୍ମା, ଶିବ ବିଶ୍ଵକର୍ମା ଭଜନ ପରିବେଷଣ କରିଥିଲେ ତଥା ବାଳ କଳାକାର ଶିବାଂଶ ବିଶ୍ଵକର୍ମା ତବଲା ବାଦନ କରିଥଲେ । ଏହି ଜୀବନ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା । ମଞ୍ଚ ପରିଚାଳନା ଶିକ୍ଷୟିତ୍ରୀ ଝିଲିମା ମହାନ୍ତି କରିଥଲେ । ତଥା ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ବିଶ୍ୱମ୍ବର ମହାନ୍ତି, ଶିବ ଶଙ୍କର ମାଝୀ, ଜୟ ଶଙ୍କର ଗୌଡ, ମନ୍ଦିରା ମିଶ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ – ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥଲେ ।

Leave A Reply

Your email address will not be published.