- ଭୋଟଦାନ କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ, ଏହା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପ୍ରତି ନାଗରିକଙ୍କ ଆସ୍ଥାର ପ୍ରତୀକ : ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫ଜାନୁଆରୀ, ୨୦୨୬ରେ ଆୟୋଜିତ ୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ, ଆମ ଗଣତନ୍ତ୍ରର ଶକ୍ତି ଏହାର ବିଶାଳତାରେ ନୁହେଁ, ବରଂ ଏହାର ଗଣତାନ୍ତ୍ରିକ ଭାବନାର ଗଭୀରତାରେ ରହିଛି । ଏପରିକି ବରିଷ୍ଠତମ ଭୋଟର, ଦିବ୍ୟାଙ୍ଗ ଭୋଟର ଓ ଦୂର୍ଗମ ସ୍ଥାନରେ ରହୁଥିବା ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରନ୍ତି । ସେ ସଚେତନ ଭୋଟର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନେତୃତ୍ୱରେ ନିର୍ବାଚନ ବ୍ୟବସ୍ଥାରେ ସଂପୃକ୍ତ ସମସ୍ତଙ୍କୁ ପ୍ରସଂଶା କରିଥିଲେ, ଯେଉଁମାନେ ମତଦାନ ଅଧିକାର ସାବ୍ୟସ୍ତର ଏପରି ଅନୁକରଣୀୟ ଉଦାହରଣ ରଖିଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ, ଜନତାଙ୍କ ଅଂଶଗ୍ରହଣ ତୃଣମୂଳସ୍ତରରେ ଗଣତନ୍ତ୍ରର ଆତ୍ମାକୁ ବ୍ୟବହାରିକ ରୂପ ଦେଇଥାଏ । ସେ କହିଛନ୍ତି, “କୌଣସି ଭୋଟର ଯେପରି ପଛରେ ନ ପଡ଼ିବେ” ଲକ୍ଷ୍ୟ ହାସଲ ପାଇଁ ନିର୍ବାଚନ ଆୟୋଗ ଅନେକ ପ୍ରୟାସ କରିଛନ୍ତି । ଭୋଟର ସଚେତନତା ବୃଦ୍ଧି କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଚଳିତ ବର୍ଷ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚୟନ ହୋଇଥିବା ବିଷୟବସ୍ତୁ, “ମୋ ଭାରତ, ମୋ ଭୋଟ : ଭାରତୀୟ ଗଣତନ୍ତ୍ରର କେନ୍ଦ୍ରରେ ଭାରତୀୟ ନାଗରିକ”, ଆମ ଗଣତନ୍ତ୍ରର ଭାବନାକୁ ପ୍ରତିଫଳିତ କରେ ଏବଂ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟଦାନ ଅଧିକାରର ଗୁରୁତ୍ୱକୁ ରେଖାଙ୍କିତ କରେ । ରାଷ୍ଟ୍ରପତି କହିଥିଲେ ଯେ, ଭୋଟ ଦେବା କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ । ଏହା ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ । ଏହା ନାଗରିକ ମାନଙ୍କ ପାଇଁ ସେମାନଙ୍କର ଆକାଂକ୍ଷା ପ୍ରକାଶ କରିବାର ଏକ ମାଧ୍ୟମ । ସମସ୍ତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ ବିନା କୌଣସି ଭେଦଭାବରେ ପ୍ରଦାନ କରାଯାଇଥିବା ଭୋଟ ଦେବାର ଅଧିକାର ଆମର ରାଜନୈତିକ ଏବଂ ସାମାଜିକ ନ୍ୟାୟ ଏବଂ ସମାନତାର ସାମ୍ବିଧାନିକ ଆଦର୍ଶକୁ ପ୍ରତିପାଦିତ କରେ । ଆମ ସମ୍ବିଧାନରେ ନିହିତ “ଗୋଟିଏ ବ୍ୟକ୍ତି, ଗୋଟିଏ ଭୋଟ” ବ୍ୟବସ୍ଥା ଆମର ସମ୍ବିଧାନ ପ୍ରଣୟତାଙ୍କ ସାଧାରଣ ଲୋକଙ୍କ ଜ୍ଞାନ ଉପରେ ଦୃଢ଼ ବିଶ୍ୱାସର ପରିଣାମ ଥିଲା । ଆମ ଦେଶର ଭୋଟର ମାନେ ସେମାନଙ୍କର ବିଶ୍ୱାସକୁ ସତ୍ୟ ପ୍ରମାଣିତ କରିଛନ୍ତି, ଏବଂ ଭାରତୀୟ ଗଣତନ୍ତ୍ର ବିଶ୍ୱସ୍ତରରେ ଏକ ଅସାଧାରଣ ଉଦାହରଣ ଭାବରେ ସମ୍ମାନ ଅର୍ଜନ କରିଛି । ରାଷ୍ଟ୍ରପତି କହିଥିଲେ ଯେ, ଭୋଟ ଦେବାର ଅଧିକାର ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ, ସମସ୍ତ ବୟସ୍କ ନାଗରିକ ସେମାନଙ୍କର ସାମ୍ବିଧାନିକ କର୍ତ୍ତବ୍ୟକୁ ମନେ ରଖି ନିଜର ମତାଧିକାର ପ୍ରୟୋଗ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ସମସ୍ତ ଭୋଟର, ପ୍ରଲୋଭନ, ଅଜ୍ଞତା, ଭୁଲସୂଚନା, ପ୍ରଚାର ଏବଂ ପକ୍ଷପାତରୁ ମୁକ୍ତ ହୋଇ, ସେମାନଙ୍କର ବିବେକର ଶକ୍ତିରେ ଆମର ନିର୍ବାଚନ ବ୍ୟବସ୍ଥାକୁ ସୁଦୃଢ଼ କରିବେ । ରାଷ୍ଟ୍ରପତି ଦେଶର ସମସ୍ତ ଯୁବଭୋଟରଙ୍କୁ ସେମାନଙ୍କର ଭୋଟର ପରିଚୟପତ୍ର ପାଇଥିବା ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏହି କାର୍ଡ ସେମାନଙ୍କୁ ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ଗତିଶୀଳ ଗଣତନ୍ତ୍ରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାର ଅମୂଲ୍ୟ ଅଧିକାର ପ୍ରଦାନ କରେ । ସେ କହିଛନ୍ତି ଯେ, ଆଜିର ଭୋଟର ମାନେ ଭାରତର ଭବିଷ୍ୟତର ନିର୍ମାତା । ରାଷ୍ଟ୍ରପତି ବିଶ୍ୱାସ ପ୍ରକାଶ କରିଛନ୍ତି, ଦେଶର ସମସ୍ତ ଯୁବଭୋଟର ଦାୟିତ୍ୱପୂର୍ଣ୍ଣ ଭାବରେ ସେମାନଙ୍କର ମତଦାନ ଅଧିକାର ବ୍ୟବହାର କରିବେ ଏବଂ ଦେଶ ନିର୍ମାଣରେ ଯୋଗଦାନ ଦେବେ । ୨୦୧୧ ମସିହାରୁ, ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତିଷ୍ଠା ଦିବସକୁ ମନେ ପକାଇ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖରେ ‘ଜାତୀୟ ଭୋଟର ଦିବସ’ ପାଳନ କରାଯାଏ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କ ଗୁରୁତ୍ୱ ଉପରେ ଧ୍ୟାନ ଦେବା, ନିର୍ବାଚନ ବିଷୟରେ ନାଗରିକ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ।