ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ହେତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ତଟକୂଳ ଗୁଡ଼ିକର ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । “ସ୍ୱଚ୍ଛ ବେଳାଭୂମି, ସୁନ୍ଦର ଓଡିଶା” ନାମେ ସମାଜକୁ ବାର୍ତ୍ତା ବହନ କରି ଏଥି ନିମନ୍ତେ ଜିଲ୍ଲାର ୧୪ଟି ପ୍ରମୁଖ ବେଳାଭୂମି ଅଞ୍ଚଳ ଶନିବାର ସଫେଇ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ଥାଘର ଗଞ୍ଜାମର ପ୍ରମୁଖ ବେଳାଭୂମି ଗୁଡିକୁ “ବେଳାଭୂମି ମହୋତ୍ସବ ସଫେଇ ପଦଯାତ୍ରା” ମାଧ୍ୟମରେ ସଫା କରାଯାଇ “ସ୍ୱଚ୍ଛ ବେଳାଭୂମି, ସୁନ୍ଦର ଓଡିଶା” ସମଗ୍ର ରାଜ୍ୟକୁ ଏକ ନିଆରା ସଚେତନତା ସୃଷ୍ଟି କରି ନୂତନ ବାର୍ତ୍ତା ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟକମାନଙ୍କୁ ଏକ ସୁଖଦ ଅନୁଭୂତି ଦେବା ଏବଂ ସର୍ବୋପରି ସାମୁଦ୍ରିକ ପରିସଂସ୍ଥାକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଶନିବାର ଗଞ୍ଜାମ ଜିଲ୍ଲାର ୧୪ ଟି ସ୍ଥାନରେ ବେଳାଭୂମି ସଫେଇ ଅଭିଯାନ ସଫଳତାର ସହ ଆୟୋଜନ କରାଯାଇଛି । ସେହି ବେଳାଭୂମି ଗୁଡିକ ହେଲା ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଗୋଖରକୁଦା,ବଟେଶ୍ୱର, ପୋଡ଼ମପେଟ୍ଟା,ଗୋପାଳପୁର ବେଳାଭୂମି ମାର୍କଣ୍ଡି, ହରିପୁର, ସୁନାପୁର, ପ୍ରୟାଗୀ, ଅଳେଶ୍ୱର, ଛତ୍ରପୁର ନିକଟସ୍ଥ ନୋଳିଆ ନୂଆଗାଁ, ଗରମପେଟ୍ଟା-୧,ଧବଳେଶ୍ୱର-୧, ରାମାୟାପଟ୍ଟଣା, ଧବଳେଶ୍ୱର-୨, ପୋଡ଼ମପେଟ୍ଟା, ଡଙ୍କାଲପାଡୁ ଏବଂ ଗରମପେଟ୍ଟା- ୨ ପ୍ରମୁଖ ସମୁଦ୍ର କୂଳିଆ ତଟବର୍ତ୍ତୀ ଅଞ୍ଚଳ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ନେତ୍ତୃତ୍ଵରେ ପ୍ରମୁଖ ବେଳାଭୂମି ସଫେଇ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କୁମାର କେରକେଟ୍ଟା, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ଅବିନାଶ କୁମାର, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା, ସ୍ୱେଚ୍ଛାସେବୀ, ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ, ପୋଲିସ ପ୍ରଶାସନଙ୍କ ସମେତ ପ୍ରାୟ ୬୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ,ଉତ୍ସାହୀ ସ୍ୱେଚ୍ଛାକୃତ ନାଗରିକ ଏହି ସଫେଇ କାର୍ଯ୍ୟକ୍ରମରେ ସକ୍ରୀୟ ଯୋଗ ଦେଇଥିଲେ । ଏହି ସଫେଇ ଅଭିଯାନ ସକାଳ ୬ଟାରେ ଆବର୍ଜନା ପୃଥକୀକରଣ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ଉପରେ ଏକ ସଂକ୍ଷିପ୍ତ ଆଭିମୁଖ୍ୟ ସହିତ ଆରମ୍ଭ ହୋଇଥିଲା । ସ୍ୱେଚ୍ଛାସେବୀ ମାନେ ଦଳବଦ୍ଧ ଭାବରେ କାର୍ଯ୍ୟ କରି ପାଖାପାଖି ୨୦ ଟନ୍ ଶୁଖିଲା ଅଳିଆ ଯେପରିକି ପ୍ଲାଷ୍ଟିକ୍ ଅଳିଆ, କାଚ ବୋତଲ, ଖାଦ୍ୟ ପ୍ୟାକେଟ, ଅନ୍ୟାନ୍ୟ ଅବଶିଷ୍ଟାଂଶ କୂଳରେ ବିଛାଡ଼ିହୋଇ ପଡିଥିବା ଆବର୍ଜନା ଗୁଡିକୁ ସଂଗ୍ରହ କରିଥିଲେ । ଦାୟିତ୍ୱପୂର୍ଣ୍ଣ ବିପର୍ଯ୍ୟସ୍ତତା ସୁନିଶ୍ଚିତ କରିବା ପାଇଁ ପୁନଃ-ଚକ୍ରଣଯୋଗ୍ୟ ଏବଂ ଅଣ-ପୁନଃ-ଚକ୍ରଣଯୋଗ୍ୟ ଅଳିଆକୁ ପୃଥକୀକରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ନୋଳିଆ ନୂଆଗାଁ ବେଳାଭୂମିରେ ସର୍ବାଧିକ ୭.୩ ଟନ୍ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି । ଧବଳେଶ୍ୱର ବେଳାଭୂମିରେ ସର୍ବନିମ୍ନ ସାତ କେଜି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି ।ନୋଳିଆ ନୂଆଗାଁରେ ସର୍ବାଧିକ ୮୯୦ ଜଣ ଅଂଶଗ୍ରହଣକାରୀ (ଶିକ୍ଷା ପ୍ରତିଷ୍ଠାନରୁ ୪୨୦, ନାଗରିକ ସମାଜରୁ ୩୫୦ ଏବଂ ଅନ୍ୟାନ୍ୟ ସଂଗଠନରୁ ୧୨୦) ଅଂଶଗ୍ରହଣ କରି ଏଠାରେ ପ୍ରାୟ ୧୯.୨ କିଲୋମିଟର ବେଳାଭୂମି ସଫା କରିଛନ୍ତି । ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୁନରୁଦ୍ଧାର କରିବା ଏବଂ ସାମୁଦ୍ରିକ ଜୀବନ ପ୍ରତି ସମ୍ଭାବ୍ୟ କ୍ଷତି ହ୍ରାସ କରିବାରେ ଏହି ମହତ ଅଭିଯାନ ସାହାଯ୍ୟ କରିବ ବୋଲି ଜ଼ିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଏହି ପରିବେଶ ସଂରକ୍ଷଣ ପ୍ରୟାସକୁ ସମର୍ଥନ ଜାରି ରଖିବାକୁ ଏବଂ ମହୋତ୍ସବ ସମୟରେ ପ୍ଲାଷ୍ଟିକ ଓ ସାମୁଦ୍ରିକ ଜୀବଙ୍କୁ କ୍ଷତି ପହଞ୍ଚାଇଲା ଭଳି ସାମଗ୍ରୀ ବ୍ୟବହାର ନ କରିବାକୁ ପ୍ରତିଶୃତିବଦ୍ଧ ହେବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।