ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ଗ୍ରାମ ପଂଚାୟତ ସରପଞ୍ଚ ବିଭୁଦତ୍ତ ରାଜହଂସ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଅନେକ ଅଭିନବ ପଦକ୍ଷେପ ନେଉଛନ୍ତି । ପଂଚାୟତର ବିଭିନ୍ନ ଗ୍ରାମରେ ଶୈକ୍ଷିକ, ସହ ଶୈକ୍ଷିକ ଓ ଢାଞ୍ଚାଗତ ବିକାଶ ପାଇଁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱତନ୍ତ୍ର ବୈଠକ ଡାକି ଆଲୋଚନା କରିଛନ୍ତି । ବିଦ୍ୟାଳୟ ଗୁଡିକରେ ପାଠପଢାର ଉନ୍ନତି, ଖେଳ, ବକ୍ତୃତା, ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କୁଇଜ, ସଂଗୀତ, ନୃତ୍ୟ, ଅଭିନୟ ପରି ସହ ଶୈକ୍ଷିକ କାର୍ଯ୍ୟକଳାପର ଉନ୍ନତି, ବିଦ୍ୟାଳୟ ସଂଯୋଗୀକରଣ ରାସ୍ତା, ବିଦ୍ୟାଳୟ କୋଠରୀ, ବିଦ୍ୟାଳୟ ବଗିଚା, ଜଳ ଯୋଗାଣ, ଆବର୍ଜନା ବିନିଯୋଗ, ବର୍ଜ୍ୟଜଳ ନିଷ୍କାସନ, ଶୌଚାଳୟ ନିର୍ମାଣ, ବିଦ୍ୟାଳୟ ଖେଳ ପଡିଆର ଉନ୍ନତି, ଆସ ସ୍କୁଲ ଯିବା ଅଭିଯାନ, ଉଲ୍ଲାସ କାର୍ଯ୍ୟକ୍ରମ, ରାଜ୍ୟ ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖା ପାଇଁ ସଚେତନତା ସୃଷ୍ଟି, ବିଦ୍ୟାଳୟ ପ୍ରାଚୀରର ସୁଦୃଢ଼ୀକରଣ, ଉନ୍ନତ ମଧ୍ୟାହ୍ନ ଭୋଜନ ପ୍ରଦାନ, ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡିବା ସମ୍ପର୍କିତ ବିଭିନ୍ନ ଆଲୋଚନାରେ ସମସ୍ତେ ଭାଗ ନେଇ ସୁଚିନ୍ତିତ ମତାମତ ଦେଇଥିଲେ । ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେର, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ବେହେରା, ଅଇଁଲାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟପ୍ରକାଶ ସେଟ, ତିତେରକୁନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ବେହେରା, ପାଙ୍କେଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସର୍ବେଶ୍ୱର ସେଠୀ, ଠେଙ୍ଗାନାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀତାରାମ ଆଡବାଙ୍କ, ସାଲେପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଆଡବାଙ୍କ, ସାଧପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୋଭାବତୀ ସେଠୀ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ମତାମତ ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧେଶ୍ୟାମ ରଥ ସଭା ସଂଯୋଜନା ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସରପଞ୍ଚଙ୍କ ଏତାଦୃଶ ଅଭିନବ କାର୍ଯ୍ୟକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।
Next Post