ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ

-ହାତୀ ମୃତ୍ୟୁ ଲୁଚାଇବାକୁ ଜିଲ୍ଲା ପାର୍‌ : ନିଜ ଗାଁରେ ପୋତିଥିଲେ ରେଞ୍ଜର

କେସିଙ୍ଗା, (ପ୍ରୀତେଶ ପଟେଲ) : କନ୍ଧମାଳ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ବଡ଼ ଖୁଲାସା ହୋଇଛି । ମୃତ ହାତୀର ଅବଶେଷ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକର ତହସୀର ଗ୍ରାମ ନିକଟ ଜମିରୁ ଉଦ୍ଧାର କରାଯାଇଛି । ଉଭୟ ସ୍ଥାନର ଦୂରତା ପ୍ରାୟ ଶହେ କିଲୋମିଟର । ବୁଧବାର ସନ୍ଧ୍ୟାରେ ତହସୀର ନିକଟରେ ଜେଟିଏଫ୍ ଓ ବାଲିଗୁଡ଼ା ବନଖଣ୍ଡର ସ୍ୱତନ୍ତ୍ର ଟିମ୍ ହାତୀର ଦେହାବଶେଷ ଖୋଳି ବାହାର କରିଛନ୍ତି । ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ଭୂମିକା ସନ୍ଦେହ ଘେରରେ । ହାତୀ ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କରି ସରକାରୀ ଗାଡ଼ିରେ ବୁହାଯାଇଥିବା ଆଲୋଚନା ହେଉଛି । ଏହି ଘଟଣାରେ ବେଲଘର ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି । ବେଲଘର ଝିରିପାଣି ଜଙ୍ଗଲରେ ଗତ ୫ ତାରିଖରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଅଭିଯୋଗ ହେଉଛି ଯେ, ରେଞ୍ଜର ଶ୍ରୀ ବିଶିଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ହାତୀ ମୃତଦେହ କାଟି ଖଣ୍ଡ ଖଣ୍ଡ କରିଥିଲେ । ୩ଟି ସରକାରୀ ଗାଡ଼ିରେ ୫୦ରୁ ଅଧିକ ଅଖାରେ ଭର୍ତ୍ତି କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଅଞ୍ଚଳସ୍ଥିତ ନିଜ ଗ୍ରାମକୁ ନେଇଥିଲେ । ତହସୀର ଗ୍ରାମ ନିକଟରେ ହାତୀର ମୃତଦେହକୁ ଖୋଳି ପୋତିଥିଲେ । ସାତ ଫୁଟ ତଳେ ପୋତା ହୋଇଥିବା ହାତୀର ଖଣ୍ଡ ବିଖଣ୍ଡିତ ଅବଶେଷ ଉଦ୍ଧାର ହୋଇଛି । ବାଲିଗୁଡ଼ା ଏସିଏଫ୍ ମନୋରଞ୍ଜନ ବାଗ୍‌ଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜର ଡି. ସୁବାସ, ତୁମୁଡିବନ୍ଧ ରେଞ୍ଜର କାଳି ଚରଣ ବେହେରା, ଫରେଷ୍ଟର ପ୍ରଭାତ ଦୋରା ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କଳାହାଣ୍ଡି ବନଖଣ୍ଡ ଅଧିକାରୀ, କଶୃପଡ଼ା ଫରେଷ୍ଟର ବିସିକେଶନ କରୁଆ ଏବଂ କେସିଙ୍ଗା ଫରେଷ୍ଟର ଯଶୋବନ୍ତ ନାୟକଙ୍କ ଉପସ୍ଥିତିରେ ଘଟଣାର ଯାଞ୍ଚ ଚାଲିଛି । ଅନ୍ୟପଟେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରେଞ୍ଜର ଶ୍ରୀ ବିଶିଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି । କେଉଁ ପରିସ୍ଥିତିରେ ବନ ବିଭାଗ କର୍ମଚାରୀଙ୍କୁ ହାତୀ ମୃତଦେହ ଖଣ୍ଡ ଖଣ୍ଡ କରି ୧୦୦ କିମି ବୋହିବାକୁ ପଡ଼ିଲା; ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅଙ୍ଗ ତସ୍କର ପାଇଁ ହାତୀକୁ ଶିକାର କରାଯାଇଛି ଏବଂ ଏହାକୁ ଲୁଚାଇବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା କୁହାଯାଉଛି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରାଣୀପ୍ରେମୀ ଦାବି କରିଛନ୍ତି । ଅନ୍ୟପଟେ ଏହାପଛରେ ଏକ ବଡ଼ ର‍୍ୟାକେଟ୍ କାମ କରୁଥିବା ସୁରାକ୍ ମିଳିଛି । ସମ୍ପୂର୍ଣ୍ଣ ଘଟଣାକୁ ନେଇ କେହି ମୁହଁ ଖୋଲୁ ନ ଥିବାବେଳେ ଏହା ପଛରେ ବହୁ ବଡ଼ ମୁଣ୍ଡ ସାମିଲ ଥିବା କୁହାଯାଉଛି ।

Leave A Reply

Your email address will not be published.