ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ ସହିତ ଛାତ୍ରଛାତ୍ରୀଙ୍କୁ ଅସ୍ୱାସ୍ଥ୍ୟକର ପିଇବା ପାଣି ଦେବା ନେଇ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ଲୁଙ୍ଗେଇ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋଠାଘର ଅବସ୍ଥା ଅତି ଖରାପ ସ୍ଥିତିରେ ରହିଥିବାରୁ ଆମ ଆଦମୀ ପାର୍ଟି ତରଫରୁ ପାର୍ଟର କାର୍ଯ୍ୟକର୍ତ୍ତା, ଲୁଙ୍ଗେଇ ସରପଞ୍ଚ ଓ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ଗତ ଜାନୁଆରୀ ୬ ତାରିଖ ଦିନ ସମଗ୍ର ସ୍କୁଲକୁ ନୂଆ କୋଠାଘର ନିର୍ମାଣ ହେବା ପର୍ଯ୍ୟନ୍ତ ବେଦବ୍ୟାସ ସ୍ଥିତ ସରକାରୀ ଏସ୍ କେ ଡି ଏ ଭି ହାଇସ୍କୁଲର କୋଠାଘରକୁ ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ଏହି ସ୍କୁଲରେ ଥିବା ଅବ୍ୟବସ୍ଥା ଯୋଗୁଁ ପିଲାମାନେ ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ନୂତନ କୋଠାଘରରେ ପୁଅପିଲାଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନାହିଁ । ଗୋଟିଏ କ୍ଲାସ ରୁମରେ ପ୍ରଥମରୁ ଷଷ୍ପ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ତଳେ ବସି ପାଠ ପଢୁଛନ୍ତି । ଅନ୍ୟ ଏକ କ୍ଲାସ ରୁମରେ ୭ମ ଓ ୮ମ ଶ୍ରେଣୀର ପିଲାମାନେ ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି । ପିଲାଙ୍କ ପାଇଁ ଟେବୁଲ ଓ ବେଞ୍ଚର ବ୍ୟବସ୍ଥା ମଧ୍ୟ ହୋଇ ନାହିଁ ଯାହା ଦ୍ୱାରା (ଆର୍‌ଟିଇ) ରାଇଟ୍ ଟୁ ଏଡୁକେସନ୍ ଆଇନର ଖୋଲମଖୋଲା ଉଲ୍ଲଂଘନ କରାଯାଉଛି ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରକାଶ ଥାଉକି ପୁରୁଣା କୋଠାଘର ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଆସୁଥିବାରୁ ନୂତନ କୋଠାଘର ନିର୍ମାଣ ବାବଦରେ ୨୦୨୩ ମସିହାରେ ପ୍ରାୟ ୨୧ଲକ୍ଷ ଟଙ୍କା ରାଷ୍ଟ୍ରୀୟ ରାଜମାର୍ଗ ବିଭାଗ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟରେ ବିଜେପି ସରକାର ତରଫରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ପାଇଁ କୋଠାଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ଏବଂ ଏ ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇ ନାହିଁ ବୋଲି ଅଭିଯୋଗ କରାଯାଇଛି । ଛୋଟ ଛୋଟ ସ୍କୁଲ ପିଲାଙ୍କର ଏଭଳି ଗଭୀର ସମସ୍ୟାକୁ ନେଇ ଆମ ଆଦମୀ ପାର୍ଟିର ଲୋକସଭା ପ୍ରଭାରୀ ବିନୟ ତିୱାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଉରକେଲା ମହାନଗର ନିଗମ କମିଶନର ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ଥିତି ବିଷୟରେ ଅବଗତ କରାଇ ମାଟିର ଗୋଳିଆ ପାଣିର ନମୁନା ପ୍ରଦାନ କରିଥିଲେ । ଏହି ସମସ୍ୟାର ସମାଧାନ ତୁରନ୍ତ ନ କରାଗଲେ ଅନେକ ପିଲା ଗୋଳିଆ ପାଣି ପିଇ ବେମାର ହୋଇ ଯିବାର ସମ୍ଭାବନା ରହିଛି ବୋଲି ପାର୍ଟିର ଲୋକସଭା ସମ୍ପାଦକ ସତ୍ୟ କିଶୋର ମହାନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ମହୋଦୟାଙ୍କୁ ସାକ୍ଷାତ ବେଳେ କହିଥିଲେ । ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ବଳବନ୍ତ ବର୍ମା ମଧ୍ୟ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ କମିଶନରଙ୍କୁ ଅନୁରୋଧ କରିଥିଲେ । କମିଶନର ମହୋଦୟା ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରି ତୁରନ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଶ୍ଵାସନା ଦେଇଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରେସ ବିବୃତିରେ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.