ରାଉରକେଲା, (କେପିଏନ୍ଏସ୍) : ଭୁବନେଶ୍ୱର ବିମାନ ବନ୍ଦରରୁ ୪ ଜଣ ଯାତ୍ରୀ ଏବଂ ୨ ଜଣ ବିମାନ ପାଇଲଟଙ୍କୁ ନେଇ ରାଉରକେଲା ଆସୁଥିବା ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ୱାନ୍ ଚାର୍ଟର ବିମାନ, ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଜଲଦା ନିକଟବର୍ତ୍ତୀ କଂସର ଠାରେ ଚାଷ ଜମିରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ଥିବା ୬ ଜଣ ଆହାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ମୁମ୍ବାଇକୁ ଅଧିକ ଚିକିତ୍ସା ପାଇଁ ଯାଇଥିବା ବେଳେ ଅନ୍ୟ ଜଣେ ବିମାନ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ନବୀନ ଖାଡ଼ଙ୍ଗା । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଜିଲ୍ଲା ପ୍ରଶାସନ ଏନେଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିମାନ ପାଇଲଟ୍ ନବୀନ ଖାଡ଼ଙ୍ଗା ହସ୍ପିଟାଲର ଚିକିତ୍ସାକୁ ନେଇ ବହୁତ ପ୍ରଶଂସା କରିଥିବା ବେଳେ, ବିମାନ ଦୁର୍ଘଟଣା ଯାଂଚ ପରିସରଭୁକ୍ତ ଥିବାରୁ, ସେ ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ଆହତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆହତଙ୍କ ଚିକିତ୍ସା ଏକ ଚ୍ୟାଲେଞ୍ଜ ଥିଲା । ପାଇଲଟଙ୍କ ସମେତ ସମସ୍ତେ ଗୁରୁତର ଥିଲେ । ବିମାନ ଦୁର୍ଘଟଣା ହେଲେ, ବିମାନ ଦୁର୍ଘଟଣାର ଆହତଙ୍କ ଚିକିତ୍ସା କିପରି କରାଯାଏ ସେ ବିଷୟରେ କୌଣସି ଅଭିଜ୍ଞତା ନଥିବାରୁ ସେମାନେ ଏହାକୁ ଚ୍ୟାଲେଞ୍ଜ ଭାବରେ ନେଇ ଚିକିତ୍ସା ଆରମ୍ଭ କରିଥିଲେ ବୋଲି କହିଛନ୍ତି । ଆଜି ଜଣେ ପାଇଲଟ ଭଲ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଅନ୍ୟ ପାଇଲଟ ଚିକିତ୍ସାଧୀନ ଅଛନ୍ତି । ସେ ଭଲ ଅଛନ୍ତି । ଖୁବ୍ ଶୀଘ୍ର ଡିସଚାର୍ଜ ହେବେ ବୋଲି କହିଥିଲେ ଜୟପ୍ରକାଶ ହସ୍ପିଟାଲ ଡାକ୍ତରମାନେ ।