ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ସୋମବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । କୁଳପତିଙ୍କ ଗସ୍ତ ସ୍ଥାନୀୟ ଅଞ୍ଚଳରେ ମୁକ୍ତ ଏବଂ ଦୂରଶିକ୍ଷା ସହିତ କୌଶଳ ବିକାଶ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କୁଳପତିଙ୍କ ସହ ଇଗ୍ନୋର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ନୟନତାରା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ରର ଶିକ୍ଷାଗତ, ପ୍ରଶାସନିକ ଏବଂ ଢାଞ୍ଚାଗତ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ । ସେ ଆଞ୍ଚଳିକ ନିର୍ଦ୍ଦେଶକ, ଶିକ୍ଷକ-ଶିକ୍ଷୟିତ୍ରୀ, ପରାମର୍ଶଦାତା ଏବଂ ଅନ୍ୟ କର୍ମଚାରୀମାନଙ୍କ ସହ ଆଲୋଚନା କରି କରିଥିଲେ । ଗ୍ରାମୀଣ, ଜନଜାତି ଓ ଦୁର୍ଗମ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଯୋଗାଇ ଦେବାରେ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ । କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଜାତୀୟ ଶିକ୍ଷା ନୀତି–୨୦୨୦ ଅନୁସାରେ କୌଶଳ ବିକାଶ ଆଧାରିତ ଏବଂ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ପ୍ରସାରରେ କୌଶଳ କେନ୍ଦ୍ରର ଭୂମିକା ଉପରେ ଜୋର ଦେଇଥିଲେ । ସେ ଅଧିକ ଶିଳ୍ପ-ସମ୍ପର୍କିତ ସାର୍ଟିଫିକେଟ୍ ଓ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିବା ସହ ସ୍ଥାନୀୟ ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରୀ ବିଭାଗ ସହ ସହଯୋଗ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । କୁଳପତି ଏହି ଅବସରରେ ରାଇରାଙ୍ଗପୁର ଉପଜିଲ୍ଲାପାଳଙ୍କ ସହ ଏକ ସୌଜନ୍ୟମୂଳକ ଆଲୋଚନା କରିଥିଲେ । ଏଥିରେ ଶିକ୍ଷା, କୌଶଳ ବିକାଶ, ଯୁବ ଓ ମହିଳା ସଶକ୍ତିକରଣ ଏବଂ ସରକାରୀ କର୍ମଚାରୀଙ୍କ କ୍ଷମତା ବୃଦ୍ଧି କ୍ଷେତ୍ରରେ ଇଗ୍ନୋ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସହଯୋଗ ନେଇ ଆଲୋଚନା ହୋଇଥିଲା । ଉପଜିଲ୍ଲାପାଳ ଇଗ୍ନୋ କାର୍ଯ୍ୟକଳାପ ପାଇଁ ସମ୍ପୂର୍ଣ୍ଣ ପ୍ରଶାସନିକ ସହଯୋଗ ଦେବାକୁ ଆଶ୍ୱାସନା ଦେଇଥିଲେ । ଆସନ୍ତାକାଲି କୁଳପତି ବାରିପଦା ଠାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ସେ ଜିଲ୍ଲା ସ୍ତରରେ ଶିକ୍ଷା, ଡିଜିଟାଲ ସାକ୍ଷରତା, ଉଦ୍ୟମିତା ବିକାଶ ଏବଂ ସମସ୍ତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବେ ।