ଜିଲ୍ଲା ଲେଖକ ସାମ୍ମୁଖ୍ୟରେ ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ଗଗନ ବିହାରୀ ଧଳ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସାହିତ୍ୟରେ ବାସ୍ତବବାଦୀ ଚେତନା ଶୀର୍ଷକରେ ଆଲୋଚନା କରିବାକୁ ଯାଇ କହିଲେ ସାଧାରଣ ଲୋକଙ୍କ ବାସ୍ତବ ସ୍ପନ୍ଦନକୁ ବୁଝି ତାକୁ କାଗଜ କଲମରେ ଚିତ୍ରିତ କରିବାକୁ ବାସ୍ତବବାଦୀ ସାହିତ୍ୟ କୁହାଯାଏ । ସେ ଫକିର ମୋହନଙ୍କ ଗଳ୍ପ ଉପନ୍ୟାସ ଠାରୁ ଆରମ୍ଭ କରି ସାରଳାଦେବୀଙ୍କ ବାସନ୍ତୀ ଉପନ୍ୟାସ, ଭଗବତୀ ପାଣିଗ୍ରାହୀଙ୍କ ଶୀକାର ଗଳ୍ପ, ଗୋପିନଥ ମହାନ୍ତିଙ୍କ ପରଜା ଉପନ୍ୟାସ, ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକ ପ୍ରଭୁତିଙ୍କ ଗଳ୍ପ ଉପନ୍ୟାସରେ ବାସ୍ତବବାଦୀ ଚେତନାର ରୂପରେଖ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ସେ ଆହୁରି ମଧ୍ୟ ରାଉରକେଲାର କବି ରାଜୀବ ପାଣି, ପରେଶ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ସୁଶାନ୍ତ ନାୟକଙ୍କ କବିତାରେ ଥିବା ବାସ୍ତବତାର ଚିତ୍ରର ଉଦାହରଣ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସହରର ବରିଷ୍ଟ କବି ବଳରାମ ରାଉଳ ଅଭିଭାଷଣରେ କହିଲେ ସାହିତ୍ୟ ଆମ ଚେତନାର ମୂଳ ଉତ୍ସ ଓ ସଂଘର୍ଷ ହିିଁ ଜୀବନର ବାସ୍ତବତା । ପ୍ରତ୍ୟେକ କବି ବା ଲେଖକଙ୍କର ନିଜସ୍ୱ ଚେତନା ଓ ଦୃଷ୍ଟିଭଙ୍ଗୀ ରହିଛି, ତାହାହିଁ ଆଜିର ସାହିଁତ୍ୟକୁ ରୁଦ୍ଧିମନ୍ତ କରିଛି । ପ୍ରାରମ୍ଭରେ କବି ସୁଶାନ୍ତ କୁମାର ନାୟକ ସଂପାଦ କଥନ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । କବି ଅର୍ଚ୍ଚନା ପାତ୍ର ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗାଳ୍ପିକ ଅଜୟ କୁମାର ମହାନ୍ତି ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଗୀତାରାଣୀ ବେହେରା ଓ ସବିତା ପରିଡାଙ୍କ ସଂଯୋଜନାରେ କବି ପରେଶ ବିଶ୍ୱାଳ,ମୀନକେତନ ପଶାୟତ, ବ୍ରଜେନ୍ଦ୍ର ଦାଶ, ଉପେନ୍ଦ୍ର ବସ୍ତିଆ, ଦିବାକର ଦାଶ, ପ୍ରତାପ ପଣ୍ଡା, ନିକୁଞ୍ଜ ବିହାରୀ ଦାଶ, ବଳରାମ ଦାଶ, ଦେବେନ୍ଦ୍ର ବଳ, ପ୍ରତାପ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲାବେଳେ ପ୍ରଫୁଲ୍ଲ ସାମଲ, ସୂର୍ଯ୍ୟମଣି ପଣ୍ଡା, ଦେବବ୍ରତ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପାଠାଗାରର କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.