ରାଷ୍ଟ୍ର ସେବକ ସେବାରେ କୁଶମେଲ ପଞ୍ଚାୟତର ୮ ବୀର ଯବାନ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ସରପଞ୍ଚ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ପଞ୍ଚାୟତରୁ ରାଷ୍ଟ୍ର ସେବା ପାଇଁ ୮ ଜଣ ବୀର ଯବାନ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ଯବାନ ପରିବାର ସହ ଗାଁ ରେ ଉତ୍ସାହର ମାହୋଲ ରହିଛି । ତେବେ ସ୍ଥାନୀୟ ସରପଞ୍ଚ ସମସ୍ତ ବୀର ଯବାନଙ୍କୁ ଏକାଠି କରି ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ନିଜ ପଞ୍ଚାୟତରୁ ୮ ଜଣ ବୀର ଯବାନଙ୍କୁ ପାଇ ଗର୍ବିତ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ସୂଚନା ଅନୁଯାୟୀ, ଚଳିତ ସପ୍ତାହ ଗୁରୁବାର ରାତିରେ ଦେଶ ମାତୃକା ସେବାରେ ନିୟୋଜନ ହେଉଥିବା ବିଭିନ୍ନ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଏହି କ୍ରମରେ ବିଭିନ୍ନ ଗ୍ରାମରୁ ବହୁ ଯୁବକ ଏଥିରେ ସ୍ଥାନ ପାଇଥିବା ବେଳେ କୁଶମେଲ ପଞ୍ଚାୟତରୁ ୮ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ତନ୍ମଧ୍ୟରୁ ଘୁଙ୍ଗି ଗ୍ରାମର ଜିତୁ ବିଶ୍ଵାଳ (ସି ଆର ପି ଏଫ୍), ସୁଜନ ପଧାନ(ସି ଆର ପି ଏଫ୍) , ଅକ୍ଷୟ ଗଡ଼ତ୍ୟା (ବି ଏସ ଏଫ୍), ଅଶୋକ ସାହୁ (ସି ଆଇ ଏସ ଏଫ୍), ଜାମୁଟିଆ ଗ୍ରାମର ପ୍ରୀତମ୍ ଧରୁଆ (ସି ଆର ପି ଏଫ୍), ଆଲୋକ ବିଶି (ସି ଆଇ ଏସ ଏଫ୍) ଓ ସଞ୍ଜୟ ଚନ୍ଦନ (ସି ଆଇ ଏସ ଏଫ୍), ଗେର୍ଡି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗଡ଼ତ୍ୟା (ସି ଆର ପି ଏଫ୍) ପ୍ରମୁଖ ରହିଛନ୍ତି । ଏନେଇ ଆଜି କୁଶମେଲ ପଞ୍ଚାୟତରେ ସରପଞ୍ଚ କୌସ୍ତୁବ ସାହୁଙ୍କ ଉଦ୍ୟମରେ ସମସ୍ତ ବୀର ଯବାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ସମସ୍ତ ବୀର ଯବାନ ଦେଶ ମାତୃକା ସେବା ପାଇଁ ନିଜ ନିଜକୁ ଗର୍ବିତ ବୋଲି କହିବା ସହିତ ଏହାର ସୁବିନିଯୋଗ କରିବେ ବୋଲି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପିଇଓ ସ୍ଵାତୀ ପ୍ରିୟଦର୍ଶିନୀ ସାହୁ, ସୋନୁ ସାହୁ, ଈଶ୍ୱର ଚନ୍ଦ୍ର ସିଂହ, ଅର୍ଜୁନ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.