- ସବୁ ପିଢିକୁ ମାର୍ଗଦର୍ଶନ କରୁଥିବା ପ୍ରେରକ ଜୀବନଟିଏ
- ସୁଶାନ୍ତ କୁମାର ମିଶ୍ର
ଚଳିତ ବର୍ଷ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ତାଙ୍କ “ମନକି ବାତ୍”ରେ ପାର୍ବତୀ ଗିରିଙ୍କୁ ମନେପକାଇ ମାଟି ମା’କୁ ସମ୍ମାନ ଦେଇଛନ୍ତି । ଜାତୀୟ ଚେତନା ସୃଷ୍ଟି କରିଛନ୍ତି । ପାର୍ବତୀ ଗିରିଙ୍କ ପ୍ରେରକ ଜୀବନ ସବୁ ପିଢିଙ୍କୁ ମାର୍ଗ ଦର୍ଶନ କରିବ ବୋଲି କହିବା ସହିତ ସେ ଶ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି । ବରଗଡ ଜିଲ୍ଲାର ସଂଗ୍ରାମୀମାଟି ସମଲେଇପଦର ଗ୍ରାମରେ ୧୯ଜାନୁୟାରୀ ୧୯୨୬ ମସିହାରେ ପାର୍ବତୀ ଗିରିଙ୍କ ଜନ୍ମ । ପିତା ଧନଞ୍ଜୟ ଗିରି ଓ ମାତା ଶ୍ରୀମତୀ ଗିରିଙ୍କ କୋଳମଣ୍ଡନ କରି ଦେଶବାସୀଙ୍କ ପାଇଁ ତ୍ୟାଗ, ନିଷ୍ଠା ଓ ସେବା ବଳରେ ନିଜ ପିତା ମାତାଙ୍କୁ ଯଶସ୍ୱୀ ଓ ଭାଗ୍ୟବାନ କରିପାରିଛନ୍ତି । ପ୍ରକୃତରେ ପାର୍ବତୀ ଗିରିଙ୍କ ଜୀବନ ଥିଲା ପ୍ରେରଣାଦାୟୀ । କାରଣ ଦେଶପ୍ରେମର ପବିତ୍ର ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ମାତ୍ର ୧୪ ବର୍ଷ ବୟସରୁ ଶେଷ ଜୀବନ ଯାଏ ମା’ ମାଟିର ମୁକ୍ତି ପାଇଁ ଏବଂ ଦୁସ୍ଥ ଅନାଥ ଜନଙ୍କ କଲ୍ୟାଣ ନିମନ୍ତେ ସେ ସମର୍ପିତ ହୋଇଯାଇଥିଲେ । ବ୍ରିଟିଶ କବଳରୁ ମା’ ମାଟିକୁ ମୁକ୍ତ କରିବା ପାଇଁ ଚାଲିଥିଲା ଗାନ୍ଧିଜୀଙ୍କ ଡାକରା । ସମଗ୍ର ଭାରତବର୍ଷରେ ଶୁଣାଯାଉଥିଲା ମୁକ୍ତିସଂଗ୍ରାମର ପଦଧ୍ୱନୀ । ଜାତୀୟପ୍ରାଣ, ତ୍ୟାଗନିଷ୍ଠ ସଂଗ୍ରାମୀ ଫକିର ବେହେରାଙ୍କ ଆବାହକତ୍ୱରେ ବରଗଡରେ ସଭାଟିଏ ଅନୁଷ୍ଠିତ ହେଉଥାଏ । ଆଚାର୍ଯ୍ୟ ହରିହର ଦାଶ ଯୋଗଦେଇ ସ୍ୱାଧିନତା, ସଂଗଠନ ଓ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ସମ୍ବନ୍ଧରେ ଭାଷଣ ଦେଇଥାନ୍ତି । ଭାଷଣରେ ଆକୃଷ୍ଟ ହୋଇ ବିଜେପୁର ଥାନା ସମଲେଇପଦର ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ପୁରୀ ମୁକ୍ତି ସଂଗ୍ରାମ ପାଇଁ ପ୍ରଭାବିତ ହୋଇଥିଲେ । ତାଙ୍କ ପ୍ରଭାବରେ ସମଗ୍ର ଗ୍ରାମବାସୀଙ୍କ ମଧ୍ୟରେ ଜାତୀୟ ଚେତନାର ପୁଲକ ସୃଷ୍ଟି ହୋଇଥିଲା । ସମଲେଇପଦର ଗ୍ରାମର ରାମଚନ୍ଦ୍ର ପୁରୀ, ପାର୍ବତୀ ଗିରି, ସନ୍ତୋଷ ସ୍ୱାଇଁ, କୁବେର ଗିରି, ତୁଳସୀରାମ ଗିରି, ମଙ୍ଗଳ ଗିରି, ଉଜ୍ୱଳ ପୁରୀ, ଦ୍ୱାଦଶୀ ରଣା, ଦ୍ୱିତୀୟା ଗିରିଙ୍କ ସମେତ ୯ ଜଣ ସ୍ୱାଧିନତା ସଂଗ୍ରାମୀ ଜେଲ ଜୋରିବାନା ଭୋଗ କରିଥିଲେ । ତନ୍ମଧ୍ୟରୁ ସର୍ବାଧିକ ସମର୍ପିତ ହୋଇ ମୁକ୍ତି ସଂଗ୍ରାମକୁ ସଠିକ ଭାବରେ ପ୍ରଜ୍ୱଳିତ କରିଥିଲେ ପାର୍ବତୀ ଗିରି । ସେ ୧୯୪୨ ମସିହାର ଭାରତଛାଡ ଆନ୍ଦୋଳନରେ ଏକ ଦୁଃସାହସିକ ପଦକ୍ଷେପ ଗ୍ରହଣ କରି ଦୁଇ ବର୍ଷ ବନ୍ଦି ହୋଇ କାରାଦଣ୍ଡ ଭୋଗ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା । ଗାନ୍ଧିଜୀଙ୍କ ଦେଶାତ୍ମବୋଧ ଓ ସମାଜସେବା ତାଙ୍କୁ ଏପରି ଆକୃଷ୍ଟ କଲା ଯେ ନିଜ ଜୀବନର ବ୍ୟକ୍ତିଗତ ସ୍ୱାର୍ଥ ବୈବାହିକ ଜୀବନକୁ ଭୁଲିଗଲେ ଓ ଚୀର କୁମାରୀ ବ୍ରତ ଧାରଣ କରି ସମସ୍ତ ଜୀବନ ଦେଶ ସେବାରେ କଟାଇଲେ । ସେ ହୋଇଗଲେ ସ୍ନେହ, ମମତା, ତ୍ୟାଗ ଓ ବଳିଦାନର ଜ୍ୱଳନ୍ତ ପ୍ରତିମୂର୍ତି । ସାହସ, ଧର୍ଯ୍ୟ ଓ ସମର୍ପଣର ପ୍ରତିଛବି । ମାନବ ସମାଜର ମଙ୍ଗଳ ହିଁ ତାଙ୍କ ଏକମାତ୍ର ଲକ୍ଷ୍ୟ ଥିଲା । ନିଜ ଜୀବନକୁ ପ୍ରଜ୍ୱଳିତ କରି ସମାଜକୁ ଆଲୋକିତ କରିବା ପାଇଁ ତାଙ୍କ ଆଜୀବନ ସଂଗ୍ରାମ । ତେଣୁ ତାଙ୍କ ଅନ୍ୟନାମ ବହ୍ନିକନ୍ୟା ହେଲା । ସେ ବିବାହ ନ କରି ମଧ୍ୟ ଶତାଧିକ ଶିଶୁଙ୍କ ମା’ ରୂପେ କାର୍ଯ୍ୟରତା ଓ ପୂଜ୍ୟା । ଏହାପରେ ଆରମ୍ଭ ହୋଇଥିଲା ତାଙ୍କ କର୍ମମୟ ଜୀବନ ଯାତ୍ରା ସ୍ୱାଧିନତାର ବାର୍ତ୍ତା ବହନ କରି । ୧୯୪୭ ମସିହାରେ ଭାରତ ସ୍ୱାଧିନତା ହେଲା ମାତ୍ର ତାଙ୍କ ସଂଗ୍ରାମର ଅନ୍ତ ହେଲା ନାହିଁ । ଜୀବନବ୍ୟାପି ଜାରି ରହିଥିଲା ପାର୍ବତୀ ଗିରିଙ୍କ ସଂଗ୍ରାମ । କେତେବେଳେ ବିଦେଶୀ ନିତୀ ବିରୁଦ୍ଧରେ ତ ଆଉ କେତେବେଳେ ତକ୍ରାଳୀନ ସମାଜର ଜାତିପ୍ରଥା ବିରୁଦ୍ଧରେ, ପୁଣି ଆଉ କେତେବେଳେ ଅଭାବ ଅନାଟନ ବିରୁଦ୍ଧରେ । ତେଣୁ ଦୁଃଖ କଷ୍ଟରେ ଜୀବନ ବଞ୍ଚୁ ଥିବା ନିରାଶ୍ରୟ ମଣିଷ ମାନଙ୍କ ମୁକ୍ତି ପାଇଁ ଅସଲ ସଂଗ୍ରାମ ଆରମ୍ଭ କଲେ । ସେ କଟକ ଜିଲ୍ଲାର ବରୀ, ୱାର୍ଦ୍ଧା, ତଥା ଦିଲ୍ଲୀ ପ୍ରମୁଖ ବିଭିନ୍ନ ସ୍ଥାନରୁ ସମାଜସେବାର ତାଲିମ ନେଇଥିଲେ । ଏହି ସେବାଗ୍ରାମର ସମସ୍ତ ତାଳିମ କେନ୍ଦ୍ର ଗାନ୍ଧିଜୀଙ୍କ ମହାନ ଆଦର୍ଶରେ ଗଢି ଉଠିଥିଲା । ବରଗଡ ଜିଲ୍ଲା ‘ପାଇକମାଲ’, ବଲାଙ୍ଗିର ଜିଲ୍ଲାର ‘ପଥରଚେପା’ ଠାରେ ଅନାଥା ଆଶ୍ରମ ପ୍ରତିଷ୍ଠା କରି ନିରୀହ, ନିରାଶ୍ରୟ ପିଲାଙ୍କୁ ଥାଇଥାନ କରିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାର ‘ଫୁଲଝରନ’ ଠାରେ ଜରା ନିବାସ ପ୍ରତିଷ୍ଠା କରି ଅନାଥ ବୃଦ୍ଧ ବୃଦ୍ଧାଙ୍କୁ ସେବା ଯତ୍ନ କଲେ । ୧୯୭୫ ମସିହାରେ ମରୁଡି ପ୍ରପିଡିତ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଦରିଦ୍ର, ଅସହାୟଙ୍କୁ ଓ ୧୯୮୨ ମସିହାରେ ଅଙ୍ଗନଦୀର ବନ୍ୟା ପ୍ରପୀଡିତ ହଜାର ହଜାର ଲୋକଙ୍କୁ ଥାଇଥାନ, ଅନ୍ନଦାନ ଓ ସେବାଯତ୍ନ ଇତିହାସ ପୃଷ୍ଠାରେ ଅମର ରହିଛି । ଜୀବନର ପ୍ରତିକ୍ଷଣରେ ରହିଥିବା ସଂଗ୍ରାମୀ ମନୋଭାବ କିନ୍ତୁ ତାଙ୍କ ଜୀବନକୁ ବିକାରଗ୍ରସ୍ଥ କରି ନ ଥିଲା । ଜୟଗାନ କରୁଥିଲେ ଦେଶ, ଜାତି ପାଇଁ । ମନଭରି ଭଳପାଉଥିଲେ ମଣିଷଙ୍କୁ । ନା ଜୀବନରେ ଥିଲା ଧନର ଲୋଭ ନା ସମ୍ମାନର ମୋହ । ସେଇଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ରାଜ୍ୟସଭାର ସଦସ୍ୟ ପଦ ଯାଚିଥିଲେ । ମାତ୍ର ବିନମ୍ରତାର ସହିତ ପ୍ରତ୍ୟାକ୍ଷାନ କରିଦେଥିଲେ ପାର୍ବତୀ ଗିରି । ଜୀବନର ଅନ୍ତିମ ସମୟରେ ସେ ଦୁରାରୋଗ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ମୃତ୍ୟୁକୁ ଖୁବ ପାଖରୁ ଦେଖିବା ସତ୍ୱେ ସେ ଧର୍ଯ୍ୟହରାଇ ନ ଥିଲେ । ବରଂ ଜାରି ରଖିଥିଲେ ତାଙ୍କ କର୍ମମୟ ଜୀବନ । ଆଜୀବନ କର୍ମତତ୍ପର ଅନ୍ତେ ସେ ବିଦାୟ ନେଇଥିଲେ ୧୭ ଅଗଷ୍ଟ ୧୯୯୫ ମସିହାରେ । ତାଙ୍କ ପରଲୋକରେ ସାରା ଓଡିଶାର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ତ୍ୟାଗମୟୀ ତଥା ଅନାଥ ଶିଶୁମାନଙ୍କ ଆଶ୍ରୟଦାତ୍ରୀ ବଡମା’ଙ୍କୁ ହରାଇଲା ଏ ଜାତି । ତେଣୁ ତ୍ୟାଗନିଷ୍ଠ ମୁକ୍ତିସଂଗ୍ରାମୀ, ସେବା ମମତାର ପ୍ରତିଛବି ପାର୍ବତୀ ଗିରିଙ୍କ ଭଳି ପ୍ରେରଣାପ୍ରଦ ଜୀବନ ଆଗାମୀ ପିଢିଙ୍କୁ ମାର୍ଗ ଦର୍ଶନ କରୁ । ତାଙ୍କ ଦର୍ଶନ ସୁସ୍ଥ ସମାଜ ଗଠନ ପାଇଁ ସହାୟକ ହେଉ ।
ତାଳପଦର, ବରଗଡ,
ମୋ - ୯୯୩୮୨୭୭୬୩୫