ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ଜାନୁୟାରୀ ୨୧, ୨୨ ଏବଂ ୨୪ ତାରିଖ ଦିନ ସକାଳ ୭. ୩୦ଟା ସମୟରେ ପ୍ୟାରେଡ ଅଭ୍ୟାସ କରାଯିବ । ସେହିପରି ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ କବିତା ଆବୃତ୍ତି, ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ ହେବ । ଏହି ପବିତ୍ର ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ଅନ୍ୟାୟ କାର୍ଯ୍ୟାଳୟ ମାନଙ୍କରେ ଆଲୋକସଜ୍ଜା କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୪.୩୦ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ଵାରା ରାମଧୂନ ପରିବେଷଣ କରାଯିବ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭.୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିଭଳି ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ସଂପୃକ୍ତ ଅନୁଷ୍ଠାନ ଗୁଡ଼ିକ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରି କରାଯିବ । ସେହିଭଳି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ସକାଳ ୮. ୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଛାତ୍ରଛାତ୍ରୀ ମାନଂକ ଦ୍ଵାରା ସମ୍ମିଳିତ ପ୍ୟାରେଡ ଅନୁଷ୍ଠିତ ହେବ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେହିଭଳି ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରେସ କ୍ଲବ ଏବଂ ଜିଲ୍ଲା ବାର ଆସୋସିଏସନ୍ ମଧ୍ୟରେ ଏକ ବନ୍ଧୁତ୍ୱବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜେଲ, ଆସ୍ଥା ଗୃହ ଏବଂ ସାର୍ଥକ ସ୍କୁଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯିବ । ବୈଠକରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଧୀରେନ୍ଦ୍ର ସେଠୀ, ଡେପୁଟି କଲେକ୍ଟର ଅଶ୍ଵିନୀ କୁମାର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।