ରେଫରାଲ୍‌ ହସପିଟାଲରେ ସୀମିତ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ : ସମାଜସେବୀଙ୍କ ୯ ଦଫା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ଏଭିତରେ ତିନି ବର୍ଷ ପୁରି ଯାଇଥିଲେ ମଧ୍ୟ ଏହା ସମ୍ପଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଆଖପାଖ ପ୍ରାୟ ପାଞ୍ଚ ଛଟି ଜିଲ୍ଲା ଏହି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ବେଳେ ଏହା କେବଳ ଏକ ରେଫରାଲ ହସପିଟାଲରେ ସୀମିତ ରହିଛି । ବିଭିନ୍ନ ରୋଗୀ ନିଜ ନିଜ ଅସୁବିଧା ନେଇ ଭୀମ ଭୋଇ ଡାକ୍ତରଖାନାକୁ ଆସୁଛନ୍ତି । କିନ୍ତୁ ଏଠାରେ ଚିକିତ୍ସା ବ୍ୟବସ୍ଥା ଅଭାବ ଦର୍ଶାଇ ସେମାନଙ୍କୁ ବୁର୍ଲା କିମ୍ବା କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି । ଫଳରେ ଏହି ଅଂଚଳର ଲୋକେ ହାତ ପାହାନ୍ତାରେ ଉଚ୍ଚ ସ୍ତରୀୟ ଚିକିତ୍ସା ବ୍ୟବସ୍ଥା ପାଇବା ସ୍ୱପରେ ହିଁ ରହିଯାଇଛି । ଆହୁରି କରୋନା ମହାମାରୀ ପରେ ମେଡିକାଲ କଲେଜରେ ରୋଗୀଙ୍କ ପାଇଁ ଏଣ୍ଡୋସ୍କୋପି ସୁବିଧା ନଥିବା ବେଳେ ବିଭିନ୍ନ ବିଭାଗରେ ଏଯାଏଁ ଅସ୍ତ୍ରୋପ୍ରଚାର ଆରମ୍ଭ ହୋଇପାରିନାହିିଁ । ସେହିପରି ସିଟିସ୍କେନ୍‌, ଅଲ୍‌ଟ୍ରାସାଉଣ୍ଡ, ଡାଇଲିସିସ୍‌, ଏକ୍ସରେ ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ସୁବିଧା କଉ ଦିଗକୁ ତାହା ସମସ୍ତଙ୍କୁ ଜଣା । କୌଣସି ବିଭାଗରେ ନେବା ଆଣିବା କରିବା ପାଇଁ ଷ୍ଟ୍ରେଚର ଓ ହୁଇଲ୍‌ ଚେୟାର୍‌ ମଧ୍ୟ ମିଳୁନାହିଁ । ଆହୁରି କିଛି ବିଭାଗରେ ଚିକତ୍ସା ପାଇଁ ହଜାର ହଜାର ଟଙ୍କା ଜବରଦସ୍ତି ଲାଞ୍ଚ ମାଗୁଥିବା ପ୍ରାୟ ସମସ୍ତେ ଅନୁଭବ କରିଛନ୍ତି । ଏଭିତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଅବସ୍ଥା ଅତି ଦୟନୀୟ । ଏଠାରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛ । ତଥ୍ୟକୁ ଆଧାର କଲେ ଜଣା ଯାଏ ଯେ, ଏତେବଡ ଡାକ୍ତରୀ ସୁବିଧା ମିଳିବା ପୂର୍ବରୁ ଶିଶୁ ଓ ମାତୃ ମୃତ୍ୟୁହାର ଅପେକ୍ଷା କୃତ କମ୍‌ ଥିବା ବେଳେ ଛଅ ମହଲା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ବିଭାଗ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଠି ହୋଇଛି । ଯାହା ଉଭୟ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଏଠାରେ ପ୍ରଦତ୍ତ ନିକୃଷ୍ଟ ଚିକିତ୍ସାକୁ ସର୍ବ ସମ୍ମୁଖରେ ରଖୁଛି । ଏଣୁ ଏହି ରୋଗୀଣା ବ୍ୟବସ୍ଥାକୁ ଯଥା ଶୀଘ୍ର ଠିକ୍‌ ନକଲେ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନାତ୍ମକ ପଥ ଗ୍ରହଣ କରିବେ ବୋଲି ସମାଜସେବୀ ଗୋବିନ୍ଦ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଏକ ତିନିଜଣିଆ ଦଳ ମେଡିକାଲ କଲେଜ ଓ ହସପିଟାଲ କର୍ତ୍ତୁପକ୍ଷଙ୍କୁ ଚେତାବନୀ ଦେଇଥିବା ଖବର ରହିଛି । ଶତୃଘ୍ନ ବାଗ ଓ ଅଜୟ ନାଗଙ୍କ ସହିତ ଶ୍ରୀ ଶତପଥୀ ହସପିଟାଲ ଅଧିକ୍ଷକଙ୍କ ସହ ଦେଖାକରି ଏକ ୧୦ ଦଫା ସମ୍ମିଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ରୋଗୀଙ୍କ ପାଇଁ ଏଣ୍ଡୋସ୍କୋପି ସୁବିଧା ତୁରନ୍ତ ଆରମ୍ଭ କରିବା, ଆଉ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେବା, ପ୍ରତ୍ୟେକ ବିଭାଗରେ ଅସ୍ତ୍ରୋପ୍ରଚାର ଆରମ୍ଭ କରିବା, ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଡଷ୍ଟବିନ୍‌ ଓ ପିଇବା ପାଣି ଯୋଗେଇଦେବା, ଆଉଟଡୋରକୁ ଠିକ୍‌ ସମୟରେ ଡାକ୍ତର ଆସିବା, ଜବରଦସ୍ତି ଲାଞ୍ଚକୁ ବନ୍ଦ କରିବା, ତଳେ ଶୋଇଥିବା ରୋଗୀଙ୍କୁ ଗଦା ଯୋଗେଇଦେବା ତଥା ପ୍ରତ୍ୟେକ ବିଭାଗକୁ ଅତିରିକ୍ତ ତିନୋଟି ଲେଖାଁଏ ଷ୍ଟ୍ରେଚର ଓ ହୁଇଲ ଚେୟାର ଯୋଗାଇଦେବା ପାଇଁ ଦାବୀ କରାଯାଇଛି । ଅପରପକ୍ଷରେ ହସପିଟାଲ ଅଧିକ୍ଷକ ଦାବୀପତ୍ର ଗ୍ରହଣ କରିବା ସହ ବିହୀତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିବା ଖବର ମିଳିଛି ।

Leave A Reply

Your email address will not be published.