ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ, ଅବକାରୀ ଏବଂ ରାଜସ୍ୱ ବିଭାଗର ମିଳିତ ସହଯୋଗରେ ପ୍ରାୟ ୮୬ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ସୂଚନା ଅନୁଯାୟୀ, ଟିକାବାଲି ଥାନା ଅନ୍ତର୍ଗତ କଟିମାହା ପଞ୍ଚାୟତର ଅଡ଼ାଖୋଲ, ଡୁଙ୍ଗିସାହି, ଉପରଖୋଲ, ଲଦାସାହି, ବିଲାବାଡ଼ା, ଦାସାଗୁଡ଼ା ଏବଂ କଇଁଝର ପଞ୍ଚାୟତର ଗଣ୍ଡଗାଁ ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏହି ଖବର ଆଧାରରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୮୬ ଏକର ପରିମିତ ଜମିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ଏହି ବେଆଇନ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନ କରାଯାଉଛି । ଏହା ସତ୍ତ୍ୱେ କିଛି ଲୋକ ଅଧିକ ଲାଭ ଆଶାରେ ଆଇନକୁ ହାତକୁ ନେଇ ଏହି କାରବାର ଜାରୀ ରଖିଛନ୍ତି । ଏହି ଘଟଣାରେ ଟିକାବାଲି ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ଯେ, ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏନ୍ଡିପିଏସ୍ର ଧାରା ୨୦ ଏ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏହିଭଳି ଦମନମୂଳକ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜିର ଏହି ଅଭିଯାନରେ ଟିକାବାଲି ତହସିଲଦାର ହରିଶ ଚନ୍ଦ୍ର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ । ଏଥିସହିତ ଟିକାବାଲି ଥାନା ଏସ୍.ଆଇ ଅବନୀ ପ୍ରଧାନ, ପଞ୍ଚାନନ ମଲିକ, ଅବକାରୀ ବିଭାଗର କର୍ମଚାରୀ, ହୋମଗାର୍ଡ ଏବଂ ଏସ୍ଓଜି ଜବାନ ମାନେ ପ୍ରମୁଖ ସାମିଲ ହୋଇ ଗଞ୍ଜେଇ ଗଛ କାଟିବାରେ ସହଯୋଗ କରିଥିଲେ ।