ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବଲାଙ୍ଗିରର ମିଳିତ ସହଯୋଗରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବରେ ଜିଲ୍ଲା ଟ୍ରାଫିକ ନିରୀକ୍ଷକ ଯଶୋବନ୍ତ ଚିନ୍ନାରା ଯୋଗଦେଇ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଆଲୋଚକ ଭାବେ କନିଷ୍ଠ ମଟରଯାନ ନିରୀକ୍ଷକ ପ୍ରକାଶ କୁମାର ପାଢ଼ୀ ଉପସ୍ଥିତ ରହି ସଡ଼କ ସୁରକ୍ଷାର ବିଭିନ୍ନ ନିୟମ ସଂପର୍କରେ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପନ୍ଦର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଭିଲକ୍ଷ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ମହାବିଦ୍ୟାଳୟର ପ୍ରଫେସର ଡକ୍ଟର ବିଜୟ କୁମାର ବେହେରା, ଡକ୍ଟର ମଧୁସ୍ମିତା ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରିବା ସହିତ କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ସୁମନ୍ତ ରଣା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଚନ୍ଦନ ପୁହାଣ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.