ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ ଓ ସହରାଚଂଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ୧୫ ଦିନ ନ ପୂରୁଣୁ ଜାତୀୟ ରାଜପଥ ୨୬ନଂ.ର ପିଚୁ ଗୁଡିକ ଉଠିବାରେ ଲାଗିଲାଣି । ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ ମଧ୍ୟ ଠିକାଦାରଙ୍କ ମନମୁଖୀ କାମକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରୁ ଜାତୀୟ ରାଜପଥ ବୋରିଗୁମାକୁ ସଂଯୋଗ କରୁଥିବା ରାସ୍ତାଗୁଡିକ ଏବେ ସ୍ଥାନେ ସ୍ଥାନେ ଫାଟି ଆଁ କଲାଣି । ଅନ୍ୟପଟେ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ନିମ୍ନ ମାନର ରାସ୍ତା କାମକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ତଦନ୍ତ କରିବା ସହ ଅସାଧୁ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ମଧ୍ୟ ଅଂଚଳବାସୀ ଦାବୀ କରିଛନ୍ତି । ବଲାଙ୍ଗିର ଠାରୁ କଲାହାଣ୍ଡି ଜିଲ୍ଲା ନୁନମାଠ ପର୍ଯ୍ୟନ୍ତ ୩୨ କୋଟି ଟଙ୍କାର ରାସ୍ତା ନିର୍ମାଣ ହେଉଥିବା ଜଣାପଡିଛି । ଏନେଇ ବିଭାଗୀୟ ଏନ୍ଏଚ୍ ଜେଇ ହରେନ୍ଦ୍ର ଆଚାର୍ଯ୍ୟଙ୍କୁ ପଚାରିବାରୁ ଉକ୍ତ ଠିକାଦାର ୫୦ କିଲୋମିଟର ରାସ୍ତା ନିର୍ମାଣ କରୁଛି, ଯେଉଁ ସ୍ଥାନରେ ପିଚୁ ଉଠି ଗଲା ଓ ଫାଟି ଗଲା ସେହି ସ୍ଥାନକୁ ମରାମତି କରିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ ହେଉଥିବା ବେଳେ ମାତ୍ର ୧୫ ଦିନ ଯାଇନାହିଁ ରାସ୍ତାର ଅବସ୍ଥା ବେହାଲ ହୋଇ ସାରିଲାଣି । ତେବେ ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
Prev Post
Next Post