mahavir

ଇସ୍ପାତ ନାଟ୍ୟ ମହୋତ୍ସବର ନବମ ସନ୍ଧ୍ୟା

  • ପ୍ରତିବିମ୍ବ ତରଫରୁ ବ୍ରହ୍ମନାଦ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆର୍‌ଏସ୍‌ପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ନବମ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ନାଟ୍ୟାନୁଷ୍ଠାନ ପ୍ରତିବିମ୍ବ ତରଫରୁ ନାଟକ ବ୍ରହ୍ମନାଦ ମଂଚସ୍ଥ ହୋଇଯାଇଛି । ନାଟକର କାହାଣୀ ହେଉଛି ଆଲୋକ ମହାପାତ୍ରଙ୍କୁ ନେଇ ପତ୍ନୀ ଆଶାର ସଂସାର । ଆଲୋକ ବ୍ଲଡ଼ କ୍ୟାନସର ରୋଗରେ ପୀଡ଼ିତ । ସେ ଜାଣନ୍ତି ତାଙ୍କ ଜୀବନର ଆୟୁ କେବଳ ଚାରିମାସ । ତଥାପି ସେ ନିର୍ଭିକ । ମୃତ୍ୟୁର ଭୟ ତାଙ୍କୁ ଟିକେ ବି ସ୍ପର୍ଶ କରିନି । ପତ୍ନୀ ଆଶା କିନ୍ତୁ ଭୟଭୀତ । ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଲୋକ ଏବଂ ଆଶାର ଜୀବନରେ ଆସନ୍ତି ଜଣେ ମ୍ୟୁଜିକ ଥେରାପିଷ୍ଟ ଅବିନାଶ ଚୌଧୁରୀ । ଆଲୋକ ବାବୁଙ୍କ ବାଲ୍ୟବନ୍ଧୁ ଅଭିଳାଷର ପରିଚୟରେ ସେ ଘରେ ରହି ଆଲୋକ ବାବୁଙ୍କୁ ଆମ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗାୟନ କରି ନୂଆ ଜୀବନ ଦେଇଛନ୍ତି । ସଂଗୀତ ଥେରାପି ମାଧ୍ୟମରେ ଆଲୋକ ବାବୁ ନିଶ୍ଚିତ ମୃତ୍ୟୁ ମୁହଁରୁ ନୂଆ ଜୀବନ ଫେରିଯାଇଛନ୍ତି । ଯେଉଠି ମେଡିକାଲ ବିଜ୍ଞାନ କିଛି କରିପାରିନି ସେଇଠି ସଂଗୀତ ଥେରାପି ହିଁ ସଫଳତାର ନୂଆ ଦିଗନ୍ତ ପାଲଟିଛି । ଏଇ ନାଟକର କାହାଣୀ ଆମ ଶାସ୍ତ୍ରୀୟ ସଙ୍ଗୀତର ମୂଳମନ୍ତ୍ର “ବ୍ରହ୍ମନାଦ” ଉପରେ ଆଧାରିତ ଏକ ନାଟକ । ଏହି ନାଟକର ନାଟ୍ୟକାର ପ୍ରଭାକର ପାତ୍ର, ନିର୍ଦ୍ଦେଶନାରେ ସାଗର ମୁଣ୍ଡା, ସଂଗୀତରେ ଅମୂଲ୍ୟ କୁମାର ବିଷୋୟୀ, ପ୍ରଫୁଲ୍ଲ କୁମାର ମଙ୍ଗଳ, କଣ୍ଠରେ ପ୍ରଫୁଲ୍ଲ କୁମାର ମଙ୍ଗଳ, ରବି ଚନ୍ଦ୍ର ପୁରୋହିତ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଅଭିନୟରେ ପ୍ରଣବ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ସୁଶାନ୍ତ କୁମାର ମହାନ୍ତି, ଅଶୋକ କୁମାର ରାଉତ, ଚିନ୍ମୟ କୁମାର ବେହେରା ଏବଂ ସରୋଜିନୀ ସ୍ୱାଇଁ ପ୍ରମୁଖ ଅଭିନୟ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଡା. ସୁଶାନ୍ତ କୁମାର ପାଣିଙ୍କ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ଦାଶ, ଉଦଘାଟକ ଭାବେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟ ଦର୍ଶକ ଭାବେ ପ୍ରଶାନ୍ତ କୁମାର ସେଠୀ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ଆମ ସାମାଜିକ ଜୀବନ ସହ ସାମଞ୍ଜସ୍ୟ ରଖୁଥିବାରୁ ଏହା ଅଧିକ ଆଦୃତ ହୋଇପାରୁଛି । ସେହିପରି ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କାର ପାଇଁ ନାଟକ ଉପଯୋଗୀ ବୋଲି ମତ ରଖିଥିଲେ । ପ୍ରଳୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏକତ୍ର ପକ୍ଷରୁ ଡ଼ା. କୃପାସିନ୍ଧୁ ନାୟକ, ରାଜୀବ ପାଣି, ଡ. ସମର ମୁଦାଲି, ବିଜୟ ପାତ୍ର, ପ୍ରଦୀପ କୁମାର ନାୟକ, ପ୍ରଜ୍ଞାନନ୍ଦ ମହାନ୍ତି, ଅକ୍ଷୟ ଧଳ, ପ୍ରସନ୍ନ କୁମାର ମହାନ୍ତି, କଲ୍ୟାଣୀ ଦାସ, ଶାନ୍ତିଲତା ଦାସ, ସନ୍ଧ୍ୟା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.