ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକର ଛୋଟ ଅନକୀଠାରେ ୧୧ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଛୋଟଅନକୀ ପଞ୍ଚାୟତର ସରପଞ୍ଚ ଚିନ୍ତାମଣି ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଧରଣୀଧର ସେଠ, ଏଡିଔ ନରେନ୍ଦ୍ର ମହାନ୍ତି ଓ ଝାରବନ୍ଧ ଭାଜପା ଯୁବମୋର୍ଚ୍ଚା ସଭାପତି ସତ୍ୟ ଭୂଷଣ ସାହୁ ଯୋଗ ଦେଇଥିଲେ । ଦୀପ, ଧୂପକାଠି ଜାଳି ନଡିଆ ବାଡ଼େଇ, ଲାଲ୍ ଫିତା କାଟି ସରପଞ୍ଚ ଶ୍ରୀ ରାଉତ ଅନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଛତିଶଗଡ଼ର ଲାରିପୁର ଏବଂ ଓଡ଼ିଶାର ଘୁଚାପାଲି ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଛତିଶଗଡ଼ର ଲାରିପୁର ଟସ୍ ଜିତି କ୍ଷେତ୍ର ରକ୍ଷଣ କରିବାର ନିଷ୍ପତି ନେଇଥିଲା । ଫଳରେ ଓଡ଼ିଶାର ଘୁଚାପାଲି ନିର୍ଦ୍ଧାରିତ ୪ ଓଭରରେ ୫ ୱିକେଟ ହରାଇ ୫୮ ରନ୍ ସଂଗ୍ରହ କରିଥିଲା ଓ ବିଜୟ ପାଇଁ ୫୯ ରନର ଲକ୍ଷ୍ୟ ରଖିଥିଲା । ବିପକ୍ଷ ଛତିଶଗଡ଼ର ଲାରିପୁର ଟିମ୍ ୪ ଓଭରରେ ୪ ୱିକେଟ ହରାଇ ୫୦ ରନ୍ ସଂଗ୍ରହ କରିଥିଲା । ଫଳରେ ଓଡ଼ିଶାର ଘୁଚାପାଲି ଟିମ୍ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଉପେନ୍ଦ୍ର ଥପା ଓ ଶ୍ରବଣ ପ୍ରଧାନ ଅମ୍ପାୟାର ଦାୟିତ୍ଵ ତୁଲାଇଥିବାବେଳେ ବିଜୁ ସାହୁ ଓ ହେମନ୍ତ ସିଂ ଠାକୁର ଭାଷ୍ୟକାର ଦାୟିତ୍ଵ ତୁଲାଇଥିଲେ ଏବଂ ହୃଷିକେଶ ସାହୁ ସ୍କୋର ଦାୟିତ୍ଵ ତୁଲାଇଥିଲେ । ଏହି ମ୍ୟାଚ୍ ଦେଖିବାପାଇଁ ଦର୍ଶକଙ୍କର ପ୍ରବଳ ଭିଡ଼ ହୋଇଥିଲା । ଛୋଟ ଅନକୀ ଗ୍ରାମବାସୀ ଓ ୧୧ଷ୍ଟାର କ୍ରିକେଟ୍ ଟିମଙ୍କ ମିଳିତ ଉଦ୍ୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଅଛି ।
Next Post